ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ,ତା୨୨/୦୫/୦୨୧: ବଙ୍ଗୋପସାଗରରେ ଆସୁଥିବା ଘୂର୍ଣ୍ଣିବାତ୍ୟା ‘ୟାସ୍‌’କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ ଦ୍ୱାରା କିଭଳି ଭାବେ ସଫଳତାର ସହ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ସଂପର୍କରେ ଆଜି କ୍ୟାବିନେଟ ସଚିବ, ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ କରିଥିଲେ। ଏହି ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିବା ନେଇ ସୂଚନା ରହିଛି।
ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ କମିଟି ସମ୍ମୁଖରେ ଏହି ସାମୁଦ୍ରିକ ଝଡ଼ବାତ୍ୟାର ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ ଯାହା ଜାରି ବୁଲେଟିନରେ କୁହାଯ଼ାଇଛି ଯ଼େ ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା କାଲି ଅର୍ଥାତ ୨୩ ତାରିଖ ସକାଳସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୪ ତାରିଖ ସୁଦ୍ଧା ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ମେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ତତ୍‌ ସଂଲଗ୍ନ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଉପକୂଳ ଛୁଇଁଲା ବେଳକୁ ଏହି ଝଡ଼ବାତ୍ୟାର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ହେବାର ସମ୍ଭାବନା ରହିଛି । ଏଭଳି ବାତ୍ୟା ସହିତ ସେହିସବୁ ରାଜ୍ୟମାନଙ୍କରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ତୁହାକୁ ତୁହା ଝଡ଼ ପ୍ରବାହିତ ହେବ ।
ତେଣୁ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କମିଟି ପକ୍ଷରୁ ଏହି ସାମୁଦ୍ରିକ ଝଡ଼ବାତ୍ୟା ସଂପର୍କରେ ସୂଚୀତ କରାଯିବା ସହିତ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟାନ୍ନ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବା ସହ ଅନ୍ୟାନ୍ୟ ଜରୁରି ସଂସାଧନ ଯଥା ଶକ୍ତି, ଟେଲି ଯୋଗାଯୋଗ ବ୍ୟବସ୍ଥାକୁ କାଏମ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ସଂପୃକ୍ତ ରାଜ୍ୟମାନଙ୍କର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏନଡିଆରଏଫର ୬୫ଟି ଟିମଙ୍କୁ ମୁତୟନ କରାଯାଇଛି ଏବଂ ଅନ୍ୟ ୨୦ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ସେନା, ନୌସେନା ଓ ତଟରକ୍ଷୀ ବାହିନୀଙ୍କୁ ଜାହାଜ ଓ ବିମାନ ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ମୁତୟନ କରିବା ଲାଗି ମଧ୍ୟ ନିୟୋଜିତ କରାଯାଇଛି ।