ଭୁବନେଶ୍ୱର: ‘ନଥିଙ୍ଗ ଓରିଡ୍ । ଷ୍ଟିଲ୍ ଟେକ୍ କେୟାର । ଆଫ୍ଟର୍ ଅଲ୍ ଦେ ଆର୍ ଭୋଟର୍ସ ।’ ବନ୍ୟାଂଚଳ ଉପରେ ଘେରାଏ ବୁଲିଆସିବା ପରେ ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଂକ୍ଷିପ୍ତ ପ୍ରତିକ୍ରିୟା । କେଜାଣି କାହିଁକି ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀଙ୍କର ଇଛା ହେଲା ଟିକେ ବନ୍ୟାଂଚଳ ଉପରେ ଉଡ଼ି ଆସିବାକୁ । ଆକାଶ ମାର୍ଗରୁ ବନ୍ୟାଂଚଳ ଦୃଶ୍ୟ ଉପଭୋଗ । ଭାଗ୍ୟରେ ଥିଲେ ଏଭଳି ସୁଯୋଗ ମିଳେ । କାଳବିଳମ୍ବ ନକରି ସାଆରେ କେନ୍ଦ୍ରାପଡ଼ାର ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଂଚଳ, ପାଇକା ଦ୍ୱୀପାଂଚଳ, ଜଗତସିଂହପୁରର କୁଜଙ୍ଗ ଓ ନାଉଗାଁ, ପୁରୀ ଜିଲ୍ଲାର ଗୋପ, ନିମାପଡ଼ା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସ ପ୍ରଭୃତି ଅଂଚଳ ଉପରେ ଚକ୍କର କାଟି ଭୁବନେଶ୍ୱର ଫେରିଲେ । ବହୁ ଚାଷଜମି, ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାର ଦୃଶ୍ୟ ସାଙ୍ଗକୁ ଭୋଟରଙ୍କ ଚାତକ ଠାଣି ମୁଖ୍ୟମନ୍ତ୍ରୀଙ୍କ ହୃଦୟ ତରଳାଇଛି । ବିପନ୍ନଙ୍କ ପାଇଁ ରାଜକୋଷ ଖୋଲିବାକୁ ରାଜି ହୋଇଛନ୍ତି ନବୀନବାବୁ । ଏଇ ମଉକାରେ ଦଳ ପାଇଁ କିଛି ସାଉଁଟିବା ଭାବି ମୁଖ୍ୟମନ୍ତ୍ରୀ ପ୍ରଶାସନିକ ମହଲକୁ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ।
ବିପନ୍ନଙ୍କୁ ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳ ଯୋଗାଣ, ପଶୁଧନକୁ ଆବଶ୍ୟକୀୟ ଖାଦ୍ୟ ଓ ଚିକିତ୍ସା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି । କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ।
ସୂଚନା ମୁତାବକ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିପନ୍ନଙ୍କୁ ୧୫ ଦିନ ପାଇଁ ରିଲିଫ ସହାୟତା ପ୍ରଦାନ କରାଯିବ । ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ବିପନ୍ନଙ୍କୁ ୭ ଦିନ ପାଇଁ ରିଲିଫ ଦିଆଯିବ । ପାଣି ଛାଡ଼ିବାର ସାତଦିନ ଭିତରେ କ୍ଷୟକ୍ଷତି ଆକଳନ ଓ ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ସହିତ ଟାଉଟରଙ୍କ ମୁଖିଆ ମଧ୍ୟ ବନ୍ୟାଂଚଳ ବୁଲିଥିଲେ ।