ଅବସରପ୍ରାପ୍ତଙ୍କ ଉପଦେଶ ଯୋଗୁଁ ବାସ୍ତବତା ମୁଖ୍ୟମନ୍ତ୍ରୀଙ୍କୁ ଅପପ୍ରଚାର ଭଳି ଲାଗୁଛି : ମନୋଜ ମହାପାତ୍ର
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍)ତା ୨୫.୦୧: ମୁଖ୍ୟମନ୍ତ୍ରୀ ନଂ-୧ କିନ୍ତୁ ଓଡ଼ିଶା ଗରିବୀରେ ନଂ-୧ । ମୁଖ୍ୟମନ୍ତ୍ରୀ ଆଗରେ କିନ୍ତୁ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବହୁ ପଛରେ । ମୁଖ୍ୟମନ୍ତ୍ରୀ ଲୋକପ୍ରିୟ କିନ୍ତୁ ତାଙ୍କର ନିଜ ଜିଲ୍ଲା ଦାଦନ ଖଟିଯିବାରେ ଲୋକପ୍ରିୟ । ଯିଏ ଅତିତରେ ସରକାରୀଙ୍କ ଅଧସ୍ତନ ଭାବରେ କାମ କରୁଥିଲେ ସରକାରୀ ଭାବେ ଅବସର ନେଲାପରେ ସେହି ଅଧସ୍ତନ ଅଫିସରମାନେ ଏବେ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା । ଅଧସ୍ତନ ଉପରିସ୍ଥ ହୋଇ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ବାସ୍ତବ ସ୍ଥିତି ଅପପ୍ରଚାର ଭଳି ଲାଗିବ । ସେଇଥିରେ ତାଙ୍କର ଦୋଷ ରାଜ୍ୟ ବାସୀଙ୍କର ନୁହଁ । କରୋନାର ଆଳ ଦେଖାଇ ତାଟି କବାଟ ପକାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି । ନିର୍ବାଚନୀ କାର୍ଯ୍ୟ ଓ କଳିଙ୍ଗ ଷ୍ଟାଡିୟମ ଗଲେ କରୋନା ହେଉନାହିଁ । ନିଜ ସରକାରର ମନ୍ତ୍ରୀ ଓ ନିଜ ଦଳ ବିଧାୟକଙ୍କ ଭିତରେ ବିଧାନ ସଭାରେ ତାଙ୍କୁ କରୋନା ହେବାର ଭୟ ହେଉଛି । ମୁଖ୍ୟମନ୍ତ୍ରୀଙ୍କର ଏହି ଦୋହରା ମାନଦଣ୍ଡ ପାଇଁ ସେ ହୁଏତ ପ୍ରଚାର ଓ ଅପପ୍ରଚାରର ସଂପର୍କରେ ଭିନ୍ନତାକୁ ବାରି ପାରୁନାହାନ୍ତି । କିମ୍ବା ସେ ଓଡ଼ିଶାର ବାସ୍ତବ ସ୍ଥିତିକୁ ଆକଳନ କରିପାରୁ ନାହାନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ଆର ବାଲକ୍ରିଷ୍ଣନ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଉପଦେଷ୍ଟା । ଅବସରପ୍ରାପ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କର ପ୍ରିନସ୍ପାଲ ଆଡଭାଇଜର । ଅବସରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କର ଓଏସଡି ଆହୁରି ଅନେକ ଅବସର ପ୍ରାପ୍ତ ଅଫିସର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଆଶ୍ରୟ ଦିଆଯାଇଛି । ଯାହାଙ୍କର ପ୍ରଶାସନିକ ଉତର ଦାୟୀତ୍ୱ ନାହିଁ । ବସ୍ତୁତଃ କହିବାକୁ ଗଲେ ରାଜ୍ୟରେ ସର୍ବପ୍ରଥମ ସମ୍ବେଦଶୀଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ବର୍ତମାନ କେତେକ ଅବସରପ୍ରାପ୍ତ ଓ ପ୍ରଶାସନିକ ସ୍ତରରେ ଅନଫିଟ୍ ଅଫିସରଙ୍କର କ୍ଳବ ହାଉସ ଓ କଫି ସେଂଟରରେ ପରିଣତ ହୋଇଛି । ଏହି ଅବସରପ୍ରାପ୍ତ ବିବାଦୀୟ ଅଫିସରମାନଙ୍କ ମଉଜମଜଲିସ୍ ପାଇଁ ସରକାରୀ ତହବିଲ୍ରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି ଓ ଏମାନଙ୍କ ମାଧ୍ୟମରେ ବିଭିନ୍ନ କ୍ରଟାଂକ୍ଟର, କମ୍ପାନୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ପ୍ରମାଣ ସ୍ୱରୂପ ପ୍ରଶାସନିକ ଉତର ଦାୟୀତ୍ୱ ନଥିବା ଅସିତ ତ୍ରୀପାଠୀ କିଛିଦିନ ତଳେ ଢ଼େଙ୍କାନାଳର ନାଲକୋ ଗେଷ୍ଟହାଉସରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବା ଏହାର ଜ୍ୱଳନ୍ତ ପ୍ରମାଣ । ଯଦି ସରକାରଙ୍କର ଶିଳ୍ପ ନୀତି କିଛି କାର୍ଯ୍ୟକ୍ରମ ନେବାର ଥିଲା ତାହାହେଲେ ଶିଳ୍ପ ସଚିବ ମାଧ୍ୟମରେ କରାଇପାରିଥାନ୍ତେ । ଗୋଟେ ପଟେ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର ଅବସରପ୍ରାପ୍ତ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଖତମ କରିଦେବାର ବିଧିବଧ ଷଡ଼ଯନ୍ତ୍ର ଚାଲିଛି କି?
ନଳିନୀ ପ୍ରଧାନ ନାମକ ଜଣେ ଇଂଜିନିୟର ପୂର୍ତବିଭାଗର ସଚିବ ଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ଗୁରୁପ୍ରିୟା ସେତୁ, ଭୁବନେଶ୍ୱର ବ୍ରଜି ଭୂଷୁଡ଼ିବା, ଏଷ୍ଟିମେଟେଡ କଷ୍ଟରୁ ଠିକାଦାରଙ୍କୁ ଅଧିକ ଅର୍ଥ ଭଳି ଘଟଣା ଘଟିଥିଲା । କୁହାଯାଉଥିଲା କି ସେହି ପୂର୍ତ ସଚିବ ବିଜୁ ଜନତା ଦଳ ପାଇଁ ପାଣ୍ଠି ଯୋଗାଡ଼ ଦାୟୀତ୍ୱରେ ଥିଲେ । ଯେଉଁଥିପାଇଁ ଅବସରପରେ ସମ୍ବଲପୁରରୁ ଲୋଭସଭା ଟିକେଟ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ ଯଦି ସତ୍ସାହସ ଅଛି ଏହା ପ୍ରଚାର ନା ଅପପ୍ରଚାର ଉତର ଦେବେ । ଶିକ୍ଷା,ସାମାଜିକ ଓ ଅର୍ଥର୍ନୈତିକ କ୍ଷେତ୍ରରେ ପଛୁଆବର୍ଗ ପ୍ରତି ୨୭% ସଂରକ୍ଷଣ ବ୍ୟବସ୍ଥା ନକରି ତରବରିଆ ଭାବେ ନିର୍ବାଚନ କରାଯାଉନି କି? ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ମାମଲା ଏପର୍ଯ୍ୟନ୍ତ ଶୀତଳଭଣ୍ଡାରରେ କାହିଁକି । ମାଫିଆଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ସରକାରୀ ଅର୍ଥରେ ବଡ଼ ଓକିଲ ନିଯୁକ୍ତି କରୁଛନ୍ତି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ପଛଘୁଂଚା କାହିଁକି? ରାଜ୍ୟର ୫୪ ପ୍ରତିଶତ ପଛୁଆବର୍ଗଙ୍କ ପ୍ରତି ଆପଣଙ୍କର ଏ ବିଦ୍ୱେଷ ମନୋଭାବର କାରଣ କଣ?
୨୦୦୬ ଜାନୁଆରୀ ୨ ମସିହାରେ ଆପଣଙ୍କ ପୋଲିସ ୧୩ଜଣ ଆଦିବାସୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାରେ କାହାକୁ ଦଣ୍ଡିତ କରାଯାଇଛି ଯବାବ ଦେବେକି? ସମ୍ବିଧାନର ୨୪୩ ଡି ଅନୁଯାୟୀ ଆଦିବାସୀ ମାନଙ୍କୁ ତାଙ୍କର ପଂଚାୟତ ନିର୍ବାଚନରେ ତାଙ୍କର ସାମ୍ବିଧାନିକ ଅଧିକାର ମିଳୁନଥିବା ଅଭିଯୋଗ କରି ଆନ୍ଦୋଳନ କରୁଥିବା ଅପପ୍ରଚାର କି?
ଆପଣ କହିଥିଲେ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଣ କରିବେ, ଦେଇଛନ୍ତି କି? ୨୯୩୦ ଟଙ୍କାରେ କ୍ୟୁଂଟାଲ ପିଛା ଧାନ କିଣାଯିବା ସର୍ବସମ୍ମତିକ୍ରମେ ବିଧାନ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ହୋଇପାରିନଥିଲା । ଚାଷୀଙ୍କୁ ସାମୁହିକ ସ୍ୱାର୍ଥ ପାଇଁ ଆପଣଙ୍କର ଉଦ୍ୟମ କ’ଣ ଓ ନିରବତାର କାରଣ କ’ଣ? ପ୍ରତି ବ୍ଲକରେ ୩୫% ଜଳସେଚନ କେତେବାଟ ଆଗେଇଛି? ମୁଁ ବଂଚିଥିଲା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ ବୋଲି ଦୃଢ଼ୋକ୍ତି ଦେଇଥିଲେ ବର୍ଷକୁ ଦୁଇ କିସ୍ତିରେ ୧୨ ହଜାର ଦେବାର ପ୍ରତିଶୃତି ଦେଇଥିଲେ, ସେ ପ୍ରତିଶୃତି ପୂରଣ କରିପାରିଛନ୍ତି କି?
ଆପଣଙ୍କ ସରକାରରେ ଥିବା କେଉଁ କେଉଁ ମନ୍ତ୍ରୀ ବିରୋଧରେ କେଉଁ ପ୍ରକାର ସଂଗୀନ ଅପରାଧର ଅଭିଯୋଗ ଆସିଛି ଓ ପୋଲିସ ନିରପେକ୍ଷ ତଦନ୍ତ ନକରି ସେହି ଅପରାଧି ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛି ତାହା ଉପରେ ଆପଣ ସଚେତନତ? ନ୍ୟାୟ ପାଇଁ ବିଧାନସଭାରେ ଆତ୍ମଦାହ ଉଦ୍ୟମ କରିଥିବା ପରୀର ମା ବାପା ନ୍ୟାୟ ପାଇଲେକି, ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଆପଣଙ୍କର ସାଂଗରେ କ୍ୟାବିନେଟ ମିଟିଂରେ ବସୁନାହଁକି? ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋଟର ତାଗିତ ସତ୍ୱେ ପୋଲିସ ଠିକ ଭାବେ ତଦନ୍ତ କରୁନାହିଁ, ସେହି ହତ୍ୟା ଅଭିଯୁକ୍ତ ଆପଣଙ୍କ ସରକାରର ଆଇନମନ୍ତ୍ରୀ ? ସୁଦୁର କଳାହାଣ୍ଡି ଜିଲ୍ଲାରେ ମହାଲିଙ୍ଗ କଲେଜରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ ଓ ସେଥିରେ ଆପଣଙ୍କର ସରକାରର ମନ୍ତ୍ରୀମାନଙ୍କର ସଂପୃକ୍ତିକୁ ଘଂଟ ଘୋଡ଼ାଇବା ପାଇଁ ମମିତା ମେହେର ନାମକ ଜଣେ ଶିକ୍ଷୟତ୍ରୀ ଅତି ନୃସସଂ ଭାବେ ହତ୍ୟା କରାଯାଇଥିଲା । ସେ ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହ ମନ୍ତ୍ରୀ କେବେ ଜେଲ ଯିବେ? ଯାଜପୁର ଜିଲ୍ଳାରେ ସ୍ମିତାରାଣୀ ବିଶ୍ୱାଳର ଧର୍ଷଣ ଓ ହତ୍ୟାକାଣ୍ଡର ପ୍ରଚ୍ଛଦପଟ ନାୟକ ସେହି ଅଣ ଓଡ଼ିଆ ବ୍ୟବସାୟୀମାନଙ୍କ ପାଖରେ ଓଡ଼ିଶା ପୋଲିସ ପଂହଚି ପାରୁ ନାହିଁ କାହିଁକି । ଆପଣ କହନ୍ତି ଓଡ଼ିଶାବାସୀ ମୋ ପରିବାର । କିନ୍ତୁ ଚିଟ୍ଫଣ୍ଡରେ ହଜାର ହଜାର କୋଟି ଟଙ୍କା ଲୁଟ କରିଥିବା କମ୍ପାନୀ ଓ ପୃଷ୍ଠପୋଷକତା କରିଥିବା ଆପଣଙ୍କ ଦଳର ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କର ସଂପୃକ୍ତି ଅଭିଯୋଗର ତଦନ୍ତ କରି ତାଙ୍କୁ ଝାରପଡ଼ାକୁ କେବେ ପଠାଇବେ । ସିବିଆଇ ତଦନ୍ତ ଶିଥିଳ, ଦୟାକରି ରାଜ୍ୟବାସୀଙ୍କର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠେ ଖଣ୍ଡେ ଲେଖାଯାଉ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଆପଣଙ୍କର ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଉଦ୍ୟମକ୍ରମେ ପାରାଦ୍ୱପ ପୋଟ ପ୍ରତିଷ୍ଠା ହୋଇଥିଲା । ପାରାଦ୍ୱୀପ ବନ୍ଦର ଓଡ଼ିଶା ସ୍ୱାଭୀମମାନର ପ୍ରତିକ, ସେଥି ବୁଡ଼ିଯାଇଥିବା ବ୍ଲାକ ରୋଜ ଯାହାଜ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରି ଏହଘଟଣା ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଆପଣଙ୍କର ସତ୍ସାହସ ହେଉନାହିଁ କାହିଁକି । ବିଜେଡ଼ି ହେଡ କ୍ୱାଟରେ ବସିଥିବା ଆପଣଙ୍କର ସାଧାରଣ ସଂପାଦକଙ୍କୁ ଚିତରଞ୍ଜନ ହତ୍ୟାକାଣ୍ଡରେ କ୍ରାଇମବ୍ରାଂଚ କେବେ ଡାକିବ? ଉହିଳା ଓ ଶିଶୁ ନିର୍ଯ୍ୟାତନାରେ ଓଡ଼ିଶା ନଂ-୧ ନୁହେଁକି? ଆପଣଙ୍କର ଘର ପାଖରେ ଥିବା ଲିଙ୍ଗରାଜ ଜମିକୁ ଜଣେ ତାମିଲ ଖଣି ମାଫିଆ ଚଂଚକତା କରି ହଡପ କରୁଥିବା ଯୋଜନା ସତ୍ୟ ନୁହେଁକି ଓ ଏହି ତାମିଲ ଖଣି ମାଫିଆଙ୍କୁ ଓଡ଼ିଶା ପୋଲିସ କେବେ ବାନ୍ଧିବ?
ରାଜ୍ୟରେ ୬୩ ଲକ୍ଷ ଯୁବକଯୁବତୀ ମାନେ ବେକାର ଥିବା ଆପଣ ଜାଣନ୍ତିକି? ପ୍ରତିବର୍ଷ ୨ଲକ୍ଷ ଯୁବକ ମାନଙ୍କୁ ନିଯୁକ୍ତି ଦେବା ପ୍ରତିଶ୍ରୁତି ସଂପୂର୍ଣ୍ଣ ଭାବରେ ଧୂଆଁବାଣ ହେବା ଅପପ୍ରଚାର କି? ଓଡ଼ିଶା କଥା ଛାଡ଼ନ୍ତୁ ଆପଣଙ୍କୁ ନିର୍ବାଚିତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପ୍ରଦାନ କରିଥିବା ଗଞ୍ଜାମ ଜିଲ୍ଲାର କେତେ ଲକ୍ଷ ଲୋକ ଗୁଜୁରାଟରେ ଦାଦନ ଖଟନ୍ତି ତାର ହିସାବ ଅଛିତ? ନିଳାଚଳ ଇସ୍ପାତ ନିଗମ ବନ୍ଦ ହୋଇଛି । ଚୌଦ୍ୱାର ଟେକ୍ସଟାଇଲ ମିଲ ବନ୍ଦ । ରାଜ୍ୟର ସମସ୍ତ ପୂରାତନ ଶିଳ୍ପ ଅଚଳ । କିନ୍ତୁ ଜିନ୍ଦଲ କାରଖାନା ପ୍ରତିଷ୍ଠା ପାଇଁ ଆପଣଙ୍କର ଏତେ ବ୍ୟଗ୍ରତ ଯେ ପୋଲିସ ଲଗାଇ ଢ଼ିଙ୍କିଆ ବାସୀଙ୍କର ଜୀବନ ଓ ଜୀବିକାର ଅପହରଣ ପାଇଁ ଆପଣଙ୍କର ବ୍ୟଗ୍ରତା । କମ୍ପାନୀର ସ୍ୱାର୍ଥ ସାଧନ ପାଇଁ ଓଡ଼ିଶାର ଅସ୍ମିତା ଓ ଓଡ଼ିଆ ଲୋକଙ୍କୁ ଆପଣ ମାରିଦେବେକି? ସ୍ପଷ୍ଟ ଦାବି ଯେ ଯଦି ଆପଣଙ୍କର ସତ୍ସାହସ ଅଛି ଓ ମଣିଷପଣିଆ ଅଛି ତାହାହେଲ ଦୋଷୀ ପୋଲିସ ଅଫିସରମାନଙ୍କୁ ବାନ୍ଧ । ଯେଉଁ ଲୋକମାନେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ତାଙ୍କ ସହିତ ବିଶ୍ୱାସ ଘାତକତା କରନାହିଁ ନଚେତ ଇତିହାସ ଆପଣଙ୍କୁ କ୍ଷମା ଦେବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।