ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଫିସରଙ୍କୁ ଅପହରଣ ଓ ମାଡ଼ମରା ଘଟଣାକୁ କଂଗ୍ରେସର ଦୃଢ଼ ନିନ୍ଦା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖାଳିଆମେଂଟା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ରାମଚନ୍ଦ୍ର ନାୟକଙ୍କ ଉପରେ ଅପହରଣ ତଥା ମରଣାନ୍ତକ ଆକ୍ରମଣ ଘଟଣାକୁ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଉକ୍ତ ପଂଚାୟତର ସରପଂଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ଓ ସ୍ଥାନୀୟ ବିଧାୟକଙ୍କ ପୁତ୍ର ଙ୍କ ଆକ୍ରମଣ ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । ଏହି ଆକ୍ରମଣ ଘଟଣା ପଛରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଏକ ପ୍ରମୁଖ କାରଣ ବୋଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ରାମଚନ୍ଦ୍ର ନାୟକ ଘସିପୁରା ଥାନାରେ ଦେଇଥିବା ଏତଲାରୁ ଜଣାପଡ଼ିଛି । ଏହି ଆକ୍ରମଣ ଘଟଣାକୁ ଦୀର୍ଘ ସମୟ ବିତିବା ସ୍ୱତେ ପୋଲିସ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ପରିତାପର ବିଷୟ । ଶାସକ ଦଳର ଗଣ୍ଡାଗର୍ଦ୍ଦି ଉକ୍ତ ଅଂଚଳରେ ଦିନକୁ ଦିନ ବଢ଼ିଚାଲିଛି ଓ ପ୍ରଶାସନକୁ ଆଇନ ଅନୁଯାୟି କାର୍ଯ୍ୟାନୁଷ୍ଠାନ ନେଇ ପଂଚାୟତ ଅଧିକାରୀଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।