ସବୁ ପ୍ରତିକ୍ଷାର ଅନ୍ତ । ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହେବ...

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ୪୬ ବର୍ଷ ପରେ ଖୋଲାଯିବ ମହାପ୍ରଭୁଙ୍କ ସେହି ରହସ୍ୟମୟ ରତ୍ନଭଣ୍ଡାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର। ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଗତକାଲି ରାତିରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ତଦାରଖ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ । ତଦାରଖ ପରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ନୀତିକାନ୍ତିରେ ଯେପରି ବାଧା ନଉପୁଜେ, ସେଥିଲାଗି ଅସ୍ଥାୟୀ ଷ୍ଟଙ୍ଗରୁମ ଲାଗି ଉପଯୁକ୍ତ ସ୍ଥାନ ବାଛିଛୁ । ରତ୍ନଭଣ୍ଡାର ଖୋଲିବା ହେଉଛି ଆମର ପ୍ରାଥମିକତା । ସମସ୍ତ ପ୍ରକାର ପ୍ରସ୍ତୁତି ଠିକ୍ ଭାବେ ଚାଲିଛି।

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳାଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ । କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇଛି ।

ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌, ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସ୍ନେକ୍‌ ହେଲପଲାଇନ୍‌ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ । ଅଳଙ୍କାର ଗଣତି ମଣତି ନେଇ ରିଜର୍ଭ ବ୍ୟାଙ୍କ୍ ର ସହାୟତା ନିଆଯିବ। ଆରବିଆଇ ପ୍ରତିନିଧି ଉପସ୍ଥିତ ରହିବେ ଏବଂ ରତ୍ନଭଣ୍ଡାର ଟିମ୍ କୁ ସହାୟତା କରିବେ। ପୂର୍ବରୁ ୧୯୦୫, ୧୯୨୬, ୧୯୭୮ ଏବଂ ୧୯୮୫ ମସିହାରେ ଖୋଲାଯାଇଥିଲା ରତ୍ନଭଣ୍ଡାର ।