ଭୁବନେଶ୍ୱର: ଟାଣ ଖରାରେ ଟକମକ ହୋଇ ଫୁଟୁଛି ସାରା ରାଜ୍ୟ। ସତେ ଯେମିତି ତତଲା ତାୱାରେ ଜଳୁଛି ସମଗ୍ର ଓଡ଼ିଶା। ତତଲା ଝାଞ୍ଜି ଅସ୍ତବ୍ୟସ୍ତ କରିପକାଉଛି। ଏଭଳି ସ୍ଥିତି ରାଜ୍ୟର ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣରୁ ଉତ୍ତର ସବୁଠି ଆକାଶରୁ ନିଆଁ ବର୍ଷୁଛି। ରୌଦ୍ରତାପ ପ୍ରଭାବରୁ ବର୍ତ୍ତି ନାହାନ୍ତି ପଶୁପକ୍ଷୀ।
ଖୋଲା ଆକାଶ ତଳେ ଚରାବୁଲା କରୁଥିବା ପଶୁପକ୍ଷୀ ଅଶୁଂଘାତରେ ଶିକାର ହେଉଛନ୍ତି। ମଙ୍ଗଳବାର ୨୯ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ବାରିପଦା ଏବଂ ଝାରସୁଗୁଡ଼ା ତତଲା କଡ଼େଇରେ ପରିଣତ ହୋଇଛି। ଉଭୟ ସହରରେ ଦିନ ତାପମାତ୍ରା ୪୪.୨ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଥିବା ବେଳେ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।