ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ….
ଭୁବେନଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଇତିମଧ୍ୟରେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଥିବା ଜଣାପଡ଼ିଛି । ଲଘୁଚାପ ଆଣ୍ଡାମାନ ସାଗରରେ ଦୃଶ୍ୟମାନ ହୋଇଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଲଘୁଚାପ କ୍ଷେତ୍ର ସହିତ ସମ୍ମିଳିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ନିମ୍ନସ୍ତରରୁ ମଧ୍ୟବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପି ଯାଇଛି । ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ତା’ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆସନ୍ତା ୧୦ ତାରିଖରେ ଏହି ଅବପାତ ସାମୁଦ୍ରି ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।