କଟକ,(ଏସ୍ ନ୍ୟୁଜ): କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ(୭୮) ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ଏଥିରେ ପାର୍ବତୀ ଆହତ ହୋଇଥିଲେ। ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍ସିବି ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେ ସର୍ଜରୀ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ।
କିନ୍ତୁ ମାର୍ଚ୍ଚ ୮ ତାରିଖ ସୋମବାର ସକାଳେ ଚିକିତ୍ସାଧୀନ ପାର୍ବତୀଙ୍କ ଉପରେ ଏକ ଫ୍ୟାନ ଖସି ପଡ଼ିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ମେଡିକାଲ ପକ୍ଷରୁ ତାଙ୍କୁ ଏସ୍ସିବି ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି।