ଅଭିନୟରେ କଟିଗଲା ମୋହନ ସରକାରଙ୍କ ପ୍ରଥମ ଦିନଟା

ଭୁବନେଶ୍ୱର: ବିଜେପି ସରକାରଙ୍କର ପ୍ରଥମ ଦିନଟି ପୁରୀ ଶ୍ରୀମନ୍ଦିର ଦର୍ଶନ ଓ ସୁଆଣ୍ଡୋ ଗ୍ରାମ ପରିଦର୍ଶନରେ କଟିଗଲା । ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ସାଙ୍ଗରେ ରାଜ୍ୟ ମନ୍ତ୍ରୀ ପରିଷଦର ନୂଆ ପୁରୁଣା ଟାଣୁଆ ମନ୍ତ୍ରୀମାନେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସେଠାରୁ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଭିଟାମାଟି ସୁଆଣ୍ଡୋକୁ ଯାଇ  ତାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ ।

ବିଜେପିର କିଛି ସାଂସଦମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝିଙ୍କ ପାଖେ ପାଖେ ରହି ତାଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଥିଲା । ମାଝିଙ୍କ ସରକାର ଉପରୁ ବହୁତ କିଛି ଆଶା କରୁଛନ୍ତି ରାଜ୍ୟବାସୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଜେପି ତା’ର ସଂକଳ୍ପ ରକ୍ଷା କରିବ ବୋଲି ଗଭୀର ଆଶା ପ୍ରକଟ କରିଛି ।

ମୁଖ୍ୟମନ୍ତ୍ରୀ ମାଝି ନିଜେ ତାଙ୍କ ନେତୃତ୍ୱାଧୀନ ସରକାରକୁ ଗରିବଙ୍କ ସରକାର କହୁଛନ୍ତି; ମାତ୍ର ତାଙ୍କ କ୍ୟାବିନେଟରେ ଜଣେ ମଧ୍ୟ ବିପିଏଲ କାର୍ଡଧାରୀ ସ୍ଥାନ ପାଇଥିବା ମନେହୁଏନା । କେମିତି ପାଇବେ? ବିଜେପି ଭଳି ଜାତୀୟ ଦଳ କେବଳ ଗରିବଙ୍କ ବିକାଶ କଥା କହି ଭୋଟ ନେବା ଜାଣିଛି । କିନ୍ତୁ ଜଣେ ବି ବିପିଏଲ ହିତାଧିକାରୀଙ୍କୁ ଦଳୀୟ ଟିକେଟ୍‌ରେ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦେଇନି ।