ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ
ଆକ୍ରମଣାତ୍ମକ ରାଜନୀତି ନୁହେଁ, ଜନହିତକର କାର୍ଯ୍ୟ ପାଇଁ ପରିଚିତ ଥିଲେ : ରାଜନାଥ ସିଂହ
ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ : ମୋହନ ଚରଣ ମାଝୀ
ଆତ୍ମବିଶ୍ୱାସର ସହ କଠିନ ସ୍ଥିତିରେ କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ଚାଲୁଥିଲେ : ମନମୋହନ ସାମ
ବିଜେପି ପଞ୍ଚନିଷ୍ଠର ସାଧକ ଓ ଅନ୍ତୋଦୟର ବାହକ ଥିଲେ : ସମୀର ମହାନ୍ତି
- ମୁଖ୍ୟ ଅତିଥିଙ୍କ କରକମଳରେ ଉନ୍ମୋଚିତ ହେଲା ଡାକ୍ତର ବାବୁ ପୁସ୍ତକର ଓଡ଼ିଆ ଓ ହିନ୍ଦୀ ସଂସ୍କରଣ
- ତାଙ୍କ ଜୀବନଯାତ୍ରାକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ
- ଦେବେନ୍ଦ୍ର ପ୍ରଧାନଙ୍କ ଜୀବନ ଓ ଆଦର୍ଶ ଓଡ଼ିଶାର ଜନଜୀବନରେ ଅଲିଭା ସ୍ମୃତି ହୋଇ ରହିବ
ଭୁବନେଶ୍ୱର, : ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ଥିଲେ । ସେ କେବଳ ଜଣେ ରାଜନେତା ନଥିଲେ, ବରଂ ଜଣେ ସ୍ପଷ୍ଟବାଦୀ, ସରଳ ଓ ନିରାଡ଼ମ୍ବର ବ୍ୟକ୍ତିତ୍ୱ ଥିଲେ । ଯାହା କହୁଥିଲେ, କରୁଥିଲେ, ମିଛ ପ୍ରତିଶ୍ରୁତି ଦେଉନଥିଲେ ।
ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ ଚାଲୁଥିବାର ବିରଳ ମଣିଷ ଥିଲେ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ।
ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ୱର ସ୍ଥିତ ଓ.ୟୁ.ଏ.ଟି. କ୍ୟାମ୍ପସରେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗରିମାମୟ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତିର ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଡାକ୍ତର ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜଣେ ‘ବିରଳ ବ୍ୟକ୍ତିତ୍ୱ’ ଭାବେ ବର୍ଣ୍ଣନା କରି କହିଥିଲେ, ସେ ଆକ୍ରମଣାତ୍ମକ ନୁହେଁ, ବରଂ ଜନହିତକର ରାଜନୀତି ପାଇଁ ପରିଚିତ ଥିଲେ । ସରଳ ଓ ନିରାଡ଼ମ୍ବର ଜୀବନ ଜିଉଁଥିବା ଏହି ନେତା ଯାହା କହୁଥିଲେ, ତାହା କରି ଦେଖାଉଥିଲେ । କହିବା ଏବଂ କରିବା ଏହି ଦୁଇଟି କାର୍ଯ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖୁଥିବା ମଣିଷ ଥିଲେ ଡାକ୍ତର ପ୍ରଧାନ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ସେବା, ତ୍ୟାଗ ଓ ନିଷ୍ଠାର ପ୍ରତୀକ ଭାବେ ଅଭିହିତ କରିଥିଲେ । ରାଜ୍ୟରେ ରାଜପଥର ସମ୍ପ୍ରସାରଣ ୧୬୦୦ କିମିରୁ ୩୨୦୦ କିମି ଏବଂ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ତାଙ୍କର ଅନନ୍ୟ କୃତି ବୋଲି ସେ ପ୍ରକାଶ କରିଥିଲେ । ସେ କହିଥିଲେ, ବିନମ୍ରତା ଓ ଆତ୍ମୀୟଭାବ ଥିଲା ଡାକ୍ତର ପ୍ରଧାନଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଆକର୍ଷଣ । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ ପ୍ରତି ସେ ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ ଆଚରଣ ତଥା ଉଚ୍ଚାରଣରେ ଏହା ତାଙ୍କ ଠାରେ ସର୍ବଦା ପ୍ରତିଫଳିତ ହେଉଥିଲା। କେବଳ ଜଣେ ରାଜନେତା ନୁହେଁ, ଜଣେ ଉତ୍ତମ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ।
ଏହାବ୍ୟତୀତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ସମିତିର ସଭାପତି ଶ୍ରୀ ସମୀର ମହାନ୍ତି ସ୍ୱର୍ଗତ ପ୍ରଧାନଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷ, ଜୀବନୀ ଏବଂ ତାଙ୍କର ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଡା.ପ୍ରଧାନ ଜଣେ କୁଶଳୀ ସଂଗଠନ ଶିଳ୍ପୀ ଥିଲେ । ବିଜେପି ପଞ୍ଚନିଷ୍ଠର ସାଧକ, ଅନ୍ତୋଦୟର ବାହକ ଥିଲେ ।
ଓଡ଼ିଶାର ବିଶିଷ୍ଟ ପ୍ରକାଶକ ଗଙ୍ଗାଧର ତ୍ରିପାଠୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକଙ୍କ ଦ୍ୱାରା ଡାକ୍ତର ବାବୁର ଓଡ଼ିଆ ସଂସ୍କରଣ ପ୍ରକାଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ତାଙ୍କର ସୁପୁତ୍ର ତଥା ପ୍ରକାଶକ ବିଭୂ ପ୍ରସାଦ ତ୍ରିପାଠୀ, ‘ଡାକ୍ତର ବାବୁ’ ହିନ୍ଦୀ ପୁସ୍ତକର ଅନୁବାଦକ ଡକ୍ଟର ସମନ୍ୱୟ ନନ୍ଦ, ପ୍ରଭାତ ପ୍ରକାଶନ, ନୂଆଦିଲ୍ଲୀର ପ୍ରକାଶକ ପ୍ରଭାତ କୁମାର ପ୍ରମୁଖ ଏହି ସ୍ମୃତିସଭାରେ ଯୋଗଦେଇଥିଲେ ।