ଟ୍ରାଫିକ୍ ଚାଲାଣ କାଟିବା ନେଇ ସରକାର ଲାଗୁକଲେ ନୂଆ ନିୟମ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଚାଲାଣ କାଟିବା ନେଇ ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି । କମିଶନରେଟ ପୋଲିସର ଏହି ସୁପାରିଶ ଉପରେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି । ବର୍ଷକ ପାଇଁ କଟକ ଓ ଭୁବନେଶ୍ୱରରେ ଏହା ଲାଗୁ ହେବ । ପରେ ରାଜ୍ୟର ଅନ୍ୟ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆବଶ୍ୟକ ସଂଖ୍ୟକ ପୋଲିସ ଅଧିକାରୀଙ୍କ ଅଭାବ ସକାଶେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇପାରୁ ନଥିଲା । ବିଶେଷତଃ ଏଏସଆଇ ପଦବୀ ସଂଖ୍ୟା କମ ଥିବାରୁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ ଏହି କ୍ଷମତା ଦେବାକୁ କମିଶନରେଟ ପୋଲିସ ପକ୍ଷରୁ ସଡ଼କ ପରିବହନ ବିଭାଗକୁ ସୁପାରିଶ କରାଯାଇଥିଲା । ଆସନ୍ତା ଏପ୍ରିଲ ୧ ତାରିଖରୁ ଟ୍ରାଫିକ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି ।