ସେଦିନର ହର୍ଲିକ୍ସ ଏବେ ଖାଲି ମଇଦା ଗୁଣ୍ଡ

ଏକଦା ବିଶ୍ୱର ଅଧିକାଂଶ ଦେଶରେ ହର୍ଲିକ୍ସ ଲୋକପ୍ରିୟ ଥିଲା…..

ଭୁବନେଶ୍ୱର: ଲୋକଙ୍କୁ ଭଣ୍ଡାଉଛି ହର୍ଲିକ୍ସ ନିର୍ମାତା । ପିଲାଙ୍କୁ ଆବଶ୍ୟକ ସବୁ ପ୍ରକାର ଭିଟାମିନ୍‌ ହର୍ଲିକ୍ସରେ ମହଜୁଦ ଥିବାର ଦାବି କରୁଛି କମ୍ପାନୀ । ମାତ୍ର ହର୍ଲିକ୍ସ ନାମରେ ଲୋକଙ୍କୁ ମଇଦା ଚୂନା ବିକା ଯାଉଛି । ଆମେରିକାସ୍ଥିତ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନ ‘ହର୍ଲିକ୍ସ’ରେ ସାମାନ୍ୟ ପୋଷକତତ୍ୱ ନଥିବା ଦାବି କରିଛି । ଭାରତର ଗ୍ରାମାଂଚଳରେ ମା’ମାନେ ତିଆରି କରୁଥିବା ଛତୁଆ ବରଂ ହର୍ଲିକ୍ସ ତୁଳନାରେ ବେଶ ସ୍ୱାସ୍ଥ୍ୟପ୍ରଦ ।

ସାଧାରଣ ପରିବାରରେ ମା’ମାନେ ଚାଉଳ, ଗହମ, ଚୂଡ଼ା, ବାଦାମ, ମଟରକୁ ପୃଥକ ପୃଥକ ଭାଜିବା ପରେ ସେଗୁଡ଼ିକୁ ଏକାଠି କରି କଳରେ ପେସି ଦିଅନ୍ତି । ସେହି ଛତୁଆକୁ ପିଲାଙ୍କୁ ଖୁଆନ୍ତି । ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ହର୍ଲିକ୍ସ ଆଉ ତା’ର ଗୁଣାତ୍ମକ ସେବା ବଜାୟ ରଖିନାହିଁ । ହର୍ଲିକ୍ସର ୧୪୦ ବର୍ଷର ଇତିହାସ କ୍ରମେ ପତନ ଆଡ଼କୁ ଗତି କରୁଛି । ଦିନେ ମା’ମାନେ ସ୍ତନପାନ ତୁଳନାରେ ହର୍ଲିକ୍ସ ଉପରେ ଗଭୀର ବିଶ୍ୱାସ ରଖୁଥିଲେ ।

ମାତ୍ର ସମୟ ତାଳରେ ତାଳ ଦେଇ ହର୍ଲିକ୍ସ ତା’ର ଗୌରବ ଅକ୍ଷୁର୍ଣ୍ଣ ରଖିନି । ଗ୍ଲାକ୍ସୋସ୍ମିଥଲାଇନ୍‌ କମ୍ପାନୀ ପ୍ରଥମେ ହର୍ଲିକ୍ସ ତିଆରି କରୁଥିଲା । ଏବେ ୟୁନିଲିଭର ହର୍ଲିକ୍ସ ବ୍ରାଣ୍ଡକୁ କିଣିଛି । ୟୁନିଲିଭର ହାତକୁ ଯିବା ପରଠାରୁ ହର୍ଲିକ୍ସ ତା’ର ଗୁଣାତ୍ମକ ମାନ ହରାଇବା ଆରମ୍ଭ କରିଛି । ଏକଦା ବିଶ୍ୱର ଅଧିକାଂଶ ଦେଶରେ ହର୍ଲିକ୍ସ ଲୋକପ୍ରିୟ ଥିଲା ।

କିନ୍ତୁ ଏବେ ହର୍ଲିକ୍ସ କେବଳ ଭାରତ ଭିତରେ ସୀମିତ ହୋଇ ରହିଯାଇଛି । ବ୍ରିଟେନରେ ଜନ୍ମିତ ୱିଲିୟମ୍‌ ହର୍ଲିକ୍‌ ଓ ତାଙ୍କ ସାନଭାଇ ଜେମ୍ସ ଶିଶୁଙ୍କ ପାଇଁ ଶୁଖିଲା ଖାଦ୍ୟ ତିଆରି କରିବାର ସଂକଳ୍ପ କରି ଆମେରିକାର ଚିକାଗୋକୁ ପଳାଇଲେ । ଜେମ୍ସ ଜଣେ ରସାୟନ ବିଶେଷଜ୍ଞ ଥିଲେ । ଦୁହେଁ ‘ଜେଆଣ୍ଡଡବ୍ଲ୍ୟୁ’ କମ୍ପାନୀ ପ୍ରତିଷ୍ଠା କରି ହର୍ଲିକ୍ସ ପ୍ରସ୍ତୁତ କଲେ ।