ଭୁବନେଶ୍ୱର, (ଏସ୍ ନ୍ୟୁଜ): ସ୍ୱାମୀ ନାଁରେ ସ୍ତ୍ରୀ ଆଣିଲା ସାଙ୍ଘାତିକ ଅଭିଯୋଗ । ସ୍ତ୍ରୀର ସୋସିଆଲ ମିଡ଼ିଆ ହ୍ୟାକ୍ କରି ପୋଷ୍ଟ୍ କରୁଥିଲେ ଉଭୟଙ୍କ ମଧ୍ୟରେ ଘଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦାର ଜଣେ ମହିଳା । ମହିଳା ଜଣଙ୍କ ଏନେଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ବାଙ୍କି ତୁଳସୀପୁର ଅଂଚଳର ତାଙ୍କ ଶାଶୂ ଘର । ସ୍ୱାମୀ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନିରେ କାମ କରନ୍ତି । ବିବାହ ପରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଏପରି କି ଯୌତୁକ ପାଇଁ ମାରପିଟ୍ କରୁଥିଲେ । ଏହାକୁ ନେଇ ବିବାଦ ତୀବ୍ର ହେବାରୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁୁ ହ୍ୟାକ କରି ସେଥିରେ ବିଭିନ୍ନ ଅଶ୍ଲୀଳ ଫଟୋ ଓ ନିଜ ଚଉଠି ରାତିର ଭିଡିଓକୁ ପୋଷ୍ଟ କରିଦେଇଥିଲେ । ଏହା ଜଣାପଡିବା ପରେ ସେ ଥାନା ଓ ପରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଏଭଳି ସଂଗିନ ଘଟଣା ଆଲୋଡନ ସୃଷ୍ଟି କରିଛି । ପ୍ରଥମେ ତେବେ ଏ ସମ୍ପର୍କରେ ଅଭିଯୁକ୍ତ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।