ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ : ଖୋଲିବ ଭିତର ରତ୍ନଭଣ୍ଡାର । ଜଗତ ଦେଖିବ କାଳିଆସାଆନ୍ତଙ୍କ ରତ୍ନଭଣ୍ଡାରର ରହସ୍ୟ । ଗୁରୁବାର ଖୋଲିବ ଭିତର ଭଣ୍ଡାର । ରଥରେ ଅଧରପଣା ନୀତି ଦିନ ହିଁ ଭିତର ଭଣ୍ଡାର ଘର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଗୃହ ଖୋଲାଯିବ। ତାଲା ଖୋଲାଯାଇ ଭିତରକୁ ପଶିବା ପରେ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସବୁକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ।

ଭିତର ଭଣ୍ଡାରର ଅଳଙ୍କାର ରଖିବାକୁ ‘ଖଟଶେଯ ଘର’କୁ ଅସ୍ଥାୟୀ ରତ୍ନଭଣ୍ଡାର ଭାବେ ପ୍ରସ୍ତୁତ କରାଯାଇଛି । ରତ୍ନ ଅଳଙ୍କାର ସ୍ଥାନାନ୍ତର ସରିବା ମାତ୍ରେ ଏହାକୁ ତାଲା ଦିଆଯାଇ ଜଉମୁଦ ସିଲ୍ କରାଯିବ। ସେ ଚାବି ପୁରୀ ଟ୍ରେଜେରୀକୁ ପଠାଇ ଦିଆଯିବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଟିକନିଖ୍ ଦୃଶ୍ୟକୁ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ପର୍ଯ୍ୟାୟ କ୍ରମେ ରତ୍ନବଣ୍ଡାର ଗଣତିମଣତି କରାଯିବ । ଆଗେ ସିଫଟିଂ, ରିପ୍ୟାରିଂ ତାପରେ କାଉଣ୍ଟିଂ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି-୧୮ ତାରିଖ ଦିନ ସକାଳ ୯ଟା ପରେ ଅଳଙ୍କାର ତଦାରଖ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପୂର୍ବରୁ ବାହାର ଭଣ୍ଡାର ଖୋଲାଯାଇ ଅଳଙ୍କାର ସିଫ୍ଟିଂ ସରିଛି। ଭିତର ରତ୍ନଭଣ୍ଡାରରେ ପଡିଥିବା ୩ଟି ଯାକ ତାଲା ଚାବିରେ ଖୋଲିନଥିଲା । ଏସଓପି ଅନୁଯାୟୀ ୩ଟି ଯାକ ତାଲାକୁ ଭଙ୍ଗା ଯାଇଥିଲା। ସେ ତାଲା ଭଙ୍ଗାଯିବା ପରେ କମିଟି ସଦସ୍ୟ ଭିତର ଭଣ୍ଡାରକୁ ପଶିଥିଲେ। ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା। ସମୟ ଅଭାବରୁ ସେଦିନ ଆମେ ତାହା ଖୋଲିନଥିଲୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଭିତର ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର ହୋଇଥିବା ଗୁରୁବାର ଦିନ ବି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା ରହିବ। ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି। ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ବାର ବନ୍ଦ ରହିବ। କେବଳ ସେବକମାନଙ୍କୁ ଛଡ଼ାଯିବ।