ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା । ଗୋପାଳପୁର ଓ ବିଶାଖାପାଟନମ୍ ଭିତରେ ଏହା ପାସ କରିବ ବୋଲି ଆକଳନ କରାଯାଉଛି । ଏହା କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । “ଗୁଲାବ”ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରତାରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)।

ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୨୮୦ କିମି ଦୂରରେ ରହିଛି ସମ୍ଭାବ୍ୟ ବାତ୍ୟା ଗୁଲାବ । ଗତ ୬ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର୍ । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ୍ ହେବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ଆନ୍ଧ୍ର ପ୍ରଦେଶରେ ଶ୍ରୀକାକଚଲମ୍ ଜିଲ୍ଲାରେ ‘ଗୁଲାବ’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଗଜପତି, କୋରାପୁଟ ଓ ମାଲକାନଗିରି ଦେଇ ଏହା ଛତିଶଗଡ଼ ଆଡ଼କୁ ଗତି କରିବ। ଗୁଲାବକୁ ନେଇ ମୁଖ୍ୟତଃ ୩ଟି ସମସ୍ୟା ଦେଖାଦେଇପାରେ। ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ। ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପାରେ। ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ପଡ଼ିବ।
ଏସ୍ଆର୍ସି କହିଛନ୍ତି, ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ। ଫ୍ଲାସ୍ ଫ୍ଲଡ ବି ଆସିବାର ସମ୍ଭାବନା ରହିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ପରାମର୍ଶ ରହିବାକୁ ପଡ଼ିବ। ଲୋକେ ମାଟି ଘରେ ନ ରହି ରାତିକ ପାଇଁ ଯେ କୌଣସି କୋଠାଘରେ ରୁହନ୍ତୁ। ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି ।