ଉତ୍ତର ପ୍ରଦେଶ: ଆଜି ଉତ୍ତର ପ୍ରଦେଶରେ ସପ୍ତମ ଓ ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେଉଛି । ଚାନ୍ଦୌଲି ଜିଲ୍ଲାର ଚକିଆ ଏବଂ ସୋନୋଭଦ୍ର ଜିଲ୍ଲାର ରୋବୋଟର୍ସ୍ଗଞ୍ଜ ଓ ଦୁଦ୍ଧି ନିର୍ବାଚନ ମଣ୍ଡଳିରେ ଭୋଟ୍ଗ୍ରହଣ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ନିର୍ବାଚନ ମଣ୍ଡଳିଗୁଡ଼ିକରେ ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟାରେ ଶେଷ ହେବ ।
ସପ୍ତମ ପର୍ଯ୍ୟାୟରେ ୯ଟି ଜିଲ୍ଲାର ୧୧ଟି ଅନୁସୂଚିତ ଜାତିପାଇଁ ସଂରକ୍ଷିତ ଆସନ ଏବଂ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୨ଟି ଆସନ ସମେତ ୫୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ୍ ନିଆଯିବ । ୭୫ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୬୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଏହି ୫୪ଟି ବିଧାନସଭା ଆସନ ନିର୍ବାଚନ ସକାଶେ ବହୁମୁଖୀ ପ୍ରତିଯୋଗିତା ହେବ । ଜୁଆନ୍ପୁର ବିଧାନସଭା ଆସନରେ ସର୍ବାଧିକ ୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ପିଣ୍ଡ୍ରା ଓ ବାରାଣାସୀ ଜିଲ୍ଲାର ଶିବପୁରୀ ଆସନ ପାଇଁ ସର୍ବନିମ୍ନ ୬ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏକ କୋଟି ୯ ଲକ୍ଷ ପୁରୁଷ ଭୋଟ୍ଦାତାଙ୍କ ସମେତ ୯୭ ଲକ୍ଷ ମହିଳା ଓ ୧ ହଜାର ୨୭ ଜଣ କିନ୍ନର ଭୋଟ୍ଦାତା ୨୩ ହଜାର ୬୧୪ଟି ଭୋଟ୍ ଗ୍ରହଣ କେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।
ଉତ୍ତର ପ୍ରଦେଶରେ ସପ୍ତମ ଓ ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସହ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହେବ। ଆସନ୍ତା ୧୦ ତାରିଖରେ ଭୋଟ ଗଣନା ସହ ଫଳାଫଳ ଘୋଷଣା କରାଯିବ।