ଘାଇଲା ବାଘୁଣୀକୁ ବ୍ଲାକମେଲର କହୁଛି ଗଣମାଧ୍ୟମ

ଅର୍ଚ୍ଚନାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ….

ଭୁବନେଶ୍ୱର: ପୁଲିସ ଲଗାଇ ସମାଜ ଦୃଷ୍ଟିରେ ବିଶିଷ୍ଟ ବ୍ୟକ୍ତି ବୋଲାଉଥିବା କିଛି ଭଦ୍ରବେଶୀ ଲମ୍ପଟ ଘାଇଲା ବାଘୁଣୀ ଅର୍ଚ୍ଚନା ନାଗଙ୍କୁ ଯନ୍ତାରେ ପୁରାଇ ଦେଇଛନ୍ତି । ଅର୍ଚ୍ଚନାଙ୍କୁ ଜାଣିଶୁଣି ବିଚାରପତିଙ୍କ ଆଗରେ ହାଜର କରାଯାଉନି । କୋର୍ଟରେ ଅର୍ଚ୍ଚନାଙ୍କ ଉପସ୍ଥିତି କାରଣରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ଦର୍ଶାଇ ପ୍ରତିପକ୍ଷ ଓକିଲ ଭିଡିଓ କନ୍‌ଫରେନ୍ସିଂକୁ ଯଥାର୍ଥ କହିଛନ୍ତି । ଅନ୍ୟପକ୍ଷରେ ଭିଡିଓ କନ୍‌ଫରେନ୍ସିଂରେ ତାଙ୍କର କୌଣସି କଥାକୁ ଗୁରୁତ୍ୱ ଦିଆଯାଉନି ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି ।

ଅର୍ଚ୍ଚନାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ କରାଯିବା ପଛରେ ଗୋଟିଏ ବଳିଷ୍ଠ ଯୁକ୍ତି ସାମ୍ନାକୁ ଆସିଛି । ତାହା ହେଉଛି; ଦିବାଲୋକରେ ଅତ୍ୟନ୍ତ ଭଦ୍ର ଓ ଅର୍ଚ୍ଚନା କକ୍ଷରେ କାମୁକ ପୁରୁଷ ଚରିତ୍ରରେ ଅବତୀର୍ଣ୍ଣ ଲୋକମାନେ ଅର୍ଚ୍ଚନାକୁ ଡରିଆ ଆରମ୍ଭ କରିଛନ୍ତି । ବିଚାରପତିଙ୍କ ଆଗରେ ଶରୀରରେ ହାଜର ହେବାକ୍ଷଣି ଅର୍ଚ୍ଚନା ଯେଉଁ ବିବୃତି ପ୍ରଦାନ କରିବେ; ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରୁ ନିଦ ହଜାଇ ଦେବ । ତେଣୁ ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଖାରଜ କରିବା ପାଇଁ ସରକାରୀ କଳ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି ।

ଅର୍ଚ୍ଚନାର ମାୟାଜାଲରେ କିଛି ବରିଷ୍ଠ ପୁଲିସ ଅଧିକାରୀ ରହିଥିବାର ଆଶଙ୍କା କରାଯାଉଛି । ପୁଲିସ ପ୍ରଶାସନର କଦର୍ଯ୍ୟ ରୂପ ସାଙ୍ଗକୁ ସମାଜର କିଛି ବଡ଼ପଣ୍ଡାଙ୍କ ଅସଲି ମୁଖା ଖୋଲିଯିବା ଭୟରେ ଅର୍ଚ୍ଚନାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେଲରେ ରଖାଯାଇଛି । ବେଶ କିଛିଦିନ ଧରି ଜେଲରେ ରହିଯିବା ଫଳରେ ଲୋକମାନେ ଅର୍ଚ୍ଚନାଙ୍କୁ ଭୁଲିଯିବେ; ସମୟ ସୁଯୋଗ ଦେଖି ଅର୍ଚ୍ଚନାଙ୍କୁ ଜେଲ ଭିତରେ ମାରି ତାକୁ ଆତ୍ମହତ୍ୟା ରୂପ ଦିଆଯିବା ଅସମ୍ଭବ ନୁହେଁ ବୋଲି କିଛି ଆଇନଜୀବୀ କହିଛନ୍ତି । ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, ମୋ ମହକିଲଙ୍କ ପ୍ରତି ଗଣମାଧ୍ୟମ ବ୍ଲାକମେଲର ଶବ୍ଦ ପ୍ରୟୋଗ କରିବା ଅନୁଚିତ । ମୋ ମହକିଲ ଘାଇଲା ବାଘୁଣୀ ।

ଜାମିନ ବଳରେ ଜେଲରୁ ମୁକୁଳିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କୁ ଆଗ ଶିକାର କରିବେ । କାରଣ ସେହିମାନଙ୍କ ବଳରେ ମୋ ମହକିଲ ରାଜଧାନୀରେ ଆସ୍ଥାନ ଜମାଇଥିଲେ । ଏବେ ସେଇମାନେ ଅର୍ଚ୍ଚନାଙ୍କୁ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି । ମୋ ମହକିଲ ଶାରୀରିକ ସମ୍ପର୍କ ପାଇଁ କାହାକୁ ବାଧ୍ୟ କରୁ ନଥିଲେ । ତାଙ୍କ ଜାଲରେ ଧରାପଡ଼ିଥିବା ଲୋକମାନେ ଗରିବ କି ନିରୀହ ନୁହନ୍ତି । ସମାଜ ଦୃଷ୍ଟିରେ ଆଦର୍ଶ ବୋଲାଉଥିବା ଲୋକମାନେ ଅର୍ଚ୍ଚନାଙ୍କ ନିକଟକୁ ଯାଉଥିଲେ ।

ସେଇମାନଙ୍କ ଫାଙ୍କା ଆଦର୍ଶକୁ ବଜାୟ ରଖିବା ପାଇଁ ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରି ଜେଲ ପଠାଇଛି । ଅପରାଧୀଙ୍କୁ ଆଶ୍ରୟ ଦେଉଥିବା ଲୋକମାନେ ଯଦି ଆଇନ ଦୃଷ୍ଟିରେ ଅପରାଧୀ ହୁଅନ୍ତି; ଅର୍ଚ୍ଚନାଙ୍କ ଶେଯରେ ରାତି କଟାଇଥିବା ବଡ଼ପଣ୍ଡାମାନେ କାହିଁକି ଅର୍ଚ୍ଚନାଙ୍କ ଦଶା ନ ଭୋଗିବେ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କର ଜେଲରୁ ମୁକୁଳିବା ଆଶା ବିଫଳ ହୋଇଛି ।