ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତୀ

ଏହି ଘଟଣାଗୁଡ଼ିକ ବ୍ୟକ୍ତି ଏବଂ ସମାଜରେ କର୍ତ୍ତବ୍ୟର ଭାବନାକୁ ପୁନଃ ଜାଗ୍ରତ କରିଥାଏ…..

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆସାମର ବାରପେଟା ସ୍ଥିତ କୃଷ୍ଣଗୁରୁ ସେବାଶ୍ରମ ଠାରେ ଆୟୋଜିତ ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନକୁ ସମ୍ବୋଧିତ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ବ୍ୟାପୀ କୀର୍ତ୍ତନ ଯାହା ଜାନୁଆରୀ ୬ ତାରିଖରୁ କୃଷ୍ଣଗୁରୁ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ଧରି ଚାଲିଛି । ସେ ସୂଚାଇ ଦେଇଛନ୍ତି ଯେ ପ୍ରାଚୀନ ଭାରତରେ ଜ୍ଞାନ, ସେବା ଏବଂ ମାନବିକତାର ପରମ୍ପରା ଯାହା କୃଷ୍ଣ ଗୁରୁ ଜୀଙ୍କ ଦ୍ୱାରା ପ୍ରଚାର କରାଯାଇଥିଲା, ତାହା ଆଜି ମଧ୍ୟ ଚିରସ୍ଥାୟୀ ଅଟେ । ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି ଯେ ଏହି ମହାନ୍ ଅବସରରେ ଗୁରୁ କୃଷ୍ଣ ପ୍ରେମାନନ୍ଦ ପ୍ରଭୁ ଜୀଙ୍କର ଅବଦାନ ଏବଂ ତାଙ୍କ ଶିଷ୍ୟମାନଙ୍କ ଉଦ୍ୟମ ସ୍ପଷ୍ଟ ଭାବରେ ଦେଖାଯାଏ । ଆଜି ତଥା ପୂର୍ବ ଘଟଣାଗୁଡ଼ିକରେ ବ୍ୟକ୍ତିଗତ ଭାବରେ ଯୋଗଦେବାକୁ ଇଚ୍ଛା ପ୍ରକଟ କରି ପ୍ରଧାନମନ୍ତ୍ରୀ କୃଷ୍ଣ ଗୁରୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଯାହା ଫଳରେ ନିକଟ ଭବିଷ୍ୟତରେ ସେ ସେବାଶ୍ରମ ପରିଦର୍ଶନ କରିବାର ସୁଯୋଗ ପାଇବେ ।

କୃଷ୍ଣଗୁରୁ ଜୀ ଙ୍କ ଦ୍ୱାରା ପ୍ରତି ବାର ବର୍ଷରେ ଅଖଣ୍ଡ ଏକନାମ୍ ଜପର ପରମ୍ପରାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୁଖ୍ୟ ଭାବନା ଭାବରେ କର୍ତ୍ତବ୍ୟ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାର ଭାରତୀୟ ପରମ୍ପରାକୁ ଉଲ୍ଲେଖ କରିଛନ୍ତି । ଏହି ଘଟଣାଗୁଡ଼ିକ ବ୍ୟକ୍ତି ଏବଂ ସମାଜରେ କର୍ତ୍ତବ୍ୟର ଭାବନାକୁ ପୁନଃ ଜାଗ୍ରତ କରିଥାଏ । ଲୋକମାନେ ଗତ ବାର ବର୍ଷର ଘଟଣା ବିଷୟରେ ଆଲୋଚନା ଏବଂ ବିଶ୍ଳେଷଣ କରିବା, ବର୍ତ୍ତମାନର ମୂଲ୍ୟାଙ୍କନ କରିବା ଏବଂ ଭବିଷ୍ୟତ ପାଇଁ ନକ୍ସା ତିଆରି କରିବା ପାଇଁ ଏକତ୍ରିତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କୁମ୍ଭ, ବ୍ରହ୍ମପୁତ୍ର ନଦୀରେ ପୁଷ୍କରମ୍ ଉତ୍ସବ, ତାମିଲନାଡୁର କୁମ୍ବକୋନାମ୍ ଠାରେ ମହାମହମ, ଭଗବାନ୍ ବାହୁବଳୀଙ୍କ ମହାମସ୍ତକାଭିଷେକ, ନୀଳକୁରିଞ୍ଜି ଫୁଲର ବାର ବର୍ଷରେ ଥରେ ଫୁଟୁଥିବାର ଉଦାହରଣ ଦେଇଛନ୍ତି । ଏକନାମ୍ ଅଖଣ୍ଡ କୀର୍ତ୍ତନ ମଧ୍ୟ ସମାନ ଶକ୍ତିଶାଳୀ ପରମ୍ପରା ସ୍ଥାପନ କରି ଉତ୍ତର-ପୂର୍ବର ଐତିହ୍ୟ ଏବଂ ଆଧ୍ୟାତ୍ମିକ ଚେତନା ସହିତ ବିଶ୍ୱକୁ ପରିଚିତ କରାଉଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ କୃଷ୍ଣଗୁରୁଙ୍କ ଜୀବନ ସହ ଜଡିତ ଅତୁଳନୀୟ ପ୍ରତିଭା, ଆଧ୍ୟାତ୍ମିକ ଅନୁଭୂବ ଏବଂ ଅସାଧାରଣ ଘଟଣା ଆମ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିଥାଏ । ପ୍ରଧାନମନ୍ତ୍ରୀ ତାଙ୍କର ଶିକ୍ଷା ଉପରେ ଆଲୋକପାତ କରି କହିଛନ୍ତି ଯେ କୌଣସି କାର୍ଯ୍ୟ କିମ୍ବା ବ୍ୟକ୍ତି ବଡ଼ କିମ୍ବା ଛୋଟ ନୁହଁନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶ ପାଇଁ (ସବକା ସାଥ) ସମସ୍ତଙ୍କ ବିକାଶ (ସବକା ବିକାଶ) ସହିତ ସମାନ ଆବେଗ ସହିତ ଦେଶ ନିଜ ଲୋକଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ଯେଉଁମାନେ ଏପର୍ଯ୍ୟନ୍ତ ବଞ୍ଚିତ ଓ ଅବହେଳିତ ହୋଇଛନ୍ତି ସେମାନଙ୍କୁ ଦେଶ ପ୍ରାଥମିକତା ଦେଇଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବଞ୍ଚିତମାନଙ୍କୁ ପ୍ରାଥମିକତା କ୍ଷେତ୍ରରେ ଆସାମ ଏବଂ ଉତ୍ତର-ପୂର୍ବର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଦେଖିଲେ ଯେ ଦଶନ୍ଧି ଧରି ଯେତେବେଳେ ବିକାଶ ଏବଂ ସଂଯୋଗୀକରଣ କଥା ଆସେ ସେତେବେଳେ ଏହି ଅଞ୍ଚଳଗୁଡିକ ଅବହେଳିତ ହୋଇଥିବା ଆଗକୁ ଆସେ, କିନ୍ତୁ ଆଜି ସେମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ।

ଚଳିତ ବର୍ଷର ବଜେଟ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଗ୍ରାଧିକାର ଭାବେ ମୁଖ୍ୟ ମାର୍ଗଦର୍ଶକ ଭାବନାରେ ବଞ୍ଚିତଙ୍କୁ ସମାନ ପ୍ରାଥମିକତା ଦିଆଯାଇଥିବା କହିଛନ୍ତି । ଉତ୍ତର-ପୂର୍ବର ଅର୍ଥନୀତିରେ ପର୍ଯ୍ୟଟନର ପ୍ରମୁଖ ଭୂମିକାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ୫୦ ଟି ପର୍ଯ୍ୟଟନ ସ୍ଥଳର ବିକାଶ ତଥା ନବୀକରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଏହି ଅଞ୍ଚଳ ପାଇଁ ବହୁତ ଲାଭଦାୟକ ହେବ । ପ୍ରଧାନମନ୍ତ୍ରୀ ଗଙ୍ଗା ବିଳାସ୍ ପୋତ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଯାହା ଶୀଘ୍ର ଆସାମରେ ପହଞ୍ଚିବ । ସେ ଦର୍ଶାଇଛନ୍ତି ଯେ ଭାରତୀୟ ଐତିହ୍ୟର ବହୁମୂଲ୍ୟ ଭଣ୍ଡାର ନଦୀ କୂଳରେ ରହିଛି ।

ପାରମ୍ପରିକ କୌଶଳରେ କାରିଗରମାନଙ୍କ ପାଇଁ କୃଷ୍ଣଗୁରୁ ସେବାଶ୍ରମର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ପାରମ୍ପରିକ କୌଶଳର ବିକାଶ ତଥା କାରିଗରମାନଙ୍କୁ ବିଶ୍ୱ ବଜାର ସହିତ ଯୋଡିବାରେ ଦେଶ ଐତିହାସିକ କାର୍ଯ୍ୟ କରିଛି ବୋଲି ସୂଚନା ଦେଇଛନ୍ତି । ବାଉଁଶ ସମ୍ବନ୍ଧୀୟ ନିୟମ ବଦଳାଇବା ଏବଂ ଏହାର ବର୍ଗକୁ ଗଛରୁ ଘାସରେ ପରିବର୍ତ୍ତନ କରିବା ବିଷୟରେ ମଧ୍ୟ ସୂଚନା ଦେଇଥିଲେ, ଯାହା ବାଉଁଶ ବ୍ୟବସାୟର ରାସ୍ତା ଖୋଲିଥିଲା । ସେ କହିଛନ୍ତି ଯେ ବଜେଟରେ ପ୍ରସ୍ତାବିତ “ୟୁନିଟ୍‍ ମଲ୍‌” ଆସାମର କୃଷକ, କାରିଗର ଏବଂ ଯୁବକମାନଙ୍କୁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ । ଏହି ଉତ୍ପାଦଗୁଡିକ ଅନ୍ୟ ରାଜ୍ୟ ତଥା ବଡ ପର୍ଯ୍ୟଟନ ସ୍ଥାନଗୁଡିକର ୟୁନିଟି ମଲ୍ ଗୁଡିକରେ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ଗାମୁଛା ପ୍ରତି ତାଙ୍କର ଭଲପାଇବା ବିଷୟରେ ମଧ୍ୟ କହିଥିଲେ ଏବଂ ଏହା ଆସାମର ମହିଳାମାନଙ୍କର କଠିନ ପରିଶ୍ରମ ଏବଂ ଦକ୍ଷତାକୁ ଅନ୍ତର୍ଭୁକ୍ତ କରେ ବୋଲି ଉଲ୍ଲେଖ କରିଥିଲେ ।

ଗାମୁଛାର ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଢୁଥିବା ଚାହିଦାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳାଙ୍କ ଆୟକୁ ସେମାନଙ୍କର ସଶକ୍ତିକରଣର ମାଧ୍ୟମ କରିବା ପାଇଁ “ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର” ଯୋଜନା ମଧ୍ୟ ଆରମ୍ଭ ହୋଇଛି । ମହିଳାମାନେ ସଞ୍ଚୟ ଉପରେ ଅଧିକ ସୁଧର ଲାଭ ପାଇବେ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନକୁ ୭୦ ହଜାର କୋଟିକୁ ବୃଦ୍ଧି କରାଯାଇଛି ଏବଂ ଏହି ଯୋଜନା ଅଧୀନରେ ର୍ନିମିତ ଅଧିକାଂଶ ଘର ପରିବାରର ମହିଳାଙ୍କ ନାମରେ ଅଛି । ସେ କହିଛନ୍ତି, ଏହି ବଜେଟରେ ଏପରି ଅନେକ ବ୍ୟବସ୍ଥା ଅଛି, ଯେଉଁଥିରୁ ଆସାମ, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଭଳି ଉତ୍ତର ପୂର୍ବ ରାଜ୍ୟର ମହିଳାମାନେ ବହୁଳ ଭାବେ ଉପକୃତ ହେବେ, ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ।

କୃଷ୍ଣଗୁରୁଙ୍କ ଶିକ୍ଷାକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୈନନ୍ଦିନ ଭକ୍ତି କାର୍ଯ୍ୟରେ ବିଶ୍ୱାସ କରିବାବେଳେ ଜଣେ ସର୍ବଦା ନିଜ ଆତ୍ମାର ସେବା କରିବା ଉଚିତ୍‍ । ଦେଶର ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାଗୁଡିକର ଲାଇଫ୍ ଲାଇନ୍ ସମାଜର ଶକ୍ତି ତଥା ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ପ୍ରସ୍ତୁତ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆୟୋଜିତ ଏହି ସେବା ଯଜ୍ଞ ଦେଶର ଏକ ବଡ ଶକ୍ତି ପାଲଟିଛି । ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ଯୋଜନାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବେଟି ବାଚାଓ ବେଟି ପଢାଓ, ପୋଷଣ ଅଭିଯାନ୍‌, ଖେଲୋ ଇଣ୍ଡିଆ, ଫିଟ୍‍ ଇଣ୍ଡିଆ, ଯୋଗ ଏବଂ ଆୟୁର୍ବେଦ ଆଦି ଯୋଜନାକୁ ଆଗକୁ ନେବାରେ କୃଷ୍ଣଗୁରୁ ସେବାଶ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହା ଦେଶକୁ ଆହୁରି ମଜବୁତ କରିବ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପାରମ୍ପରିକ କାରିଗରମାନଙ୍କ ପାଇଁ ଦେଶ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ଯୋଜନା ଆରମ୍ଭ କରୁଛନ୍ତି । ଏହି ପାରମ୍ପରିକ କାରିଗରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦେଶ ବର୍ତ୍ତମାନ ପ୍ରଥମ ଥର ପାଇଁ ନିଷ୍ପତ୍ତି ନେଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି କାର୍ଯ୍ୟ କରିବାକୁ କୃଷ୍ଣଗୁରୁ ସେବାଶ୍ରମକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ସେନାଶ୍ରମକୁ ନିକଟରେ ଶ୍ରୀ ଅନ୍ନ ଭାବେ ବ୍ରାଣ୍ଡେଡ୍‍ ହୋଇଥିବା ଶସ୍ୟରୁ ପ୍ରସାଦ ପ୍ରସ୍ତୁତ ସହିତ ଏହି ଶସ୍ୟର ପ୍ରଚାର କରିବାକୁ କହିଥିଲେ । ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଇତିହାସକୁ ଯୁବ ପୀଢିଙ୍କୁ ସେବାଶ୍ରମ ପ୍ରକାଶନ ମାଧ୍ୟମରେ ନେବାକୁ କହିଥିଲେ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୨ ବର୍ଷ ପରେ ଯେତେବେଳେ ଏହି ଅଖଣ୍ଡ କୀର୍ତ୍ତନ ଅନୁଷ୍ଠିତ ହେବ ସେତେବେଳେ ଆମେ ଅଧିକ ସଶକ୍ତ ଭାରତର ସାକ୍ଷୀ ହୋଇ ଥିବୁ ।

ପୃଷ୍ଠଭୂମି

ପରମଗୁରୁ କୃଷ୍ଣଗୁରୁ ଇଶ୍ୱର ଆସାମର ବାରପେଟାର ନାସତ୍ରା ଗ୍ରାମରେ ୧୯୭୪ ମସିହାରେ କୃଷ୍ଣଗୁରୁ ସେବାଶ୍ରମ ପ୍ରତିଷ୍ଠା କରିଥିଲେ । ସେ ମହାବୈଷ୍ଣବ ମନୋହରଦେବଙ୍କ ନବମ ବଂଶଧର, ଯିଏ ମହାନ ବୈଷ୍ଣବ ସାଧୁ ଶ୍ରୀ ଶଙ୍କରଦେବଙ୍କ ଅନୁଗାମୀ ଥିଲେ । ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ବ୍ୟାପୀ ୬ ଜାନୁଆରୀରୁ କୃଷ୍ଣଗୁରୁ ସେବାଶ୍ରମ ଠାରେ ଆରମ୍ଭ ହୋଇଥିଲା ।