ଆମ ସରକାରୀ କଳରେ ଗୋଟିଏ ଧରାବନ୍ଧା ନିୟମ ରହିଛି ଯାହା ଦେଶର ପ୍ରଥମ ନିର୍ବାଚିତ ସରକାରଙ୍କ ସମୟରୁ ମଜଭୁତ। ସେହି ନିୟମଟି ହେଲା, ଘଟଣା ଘଟିବା ପରେ ସରକାରୀ କଳର ଦୋଷ ଘୋଡ଼ାଇବା ପର୍ବ ଆଳରେ ତଦନ୍ତ କମିଟି ଗଠନ ଓ ସମୟ ସୁଅରେ ସେଗୁଡ଼ିକୁ ମନରୁ ଭୁଲିଯିବାର ଅବଗୁଣ। ତଦନ୍ତ କମିଟି ରିପୋର୍ଟ ପାଇବା ପରେ ତାକୁ ଶୀତଳ ଭଣ୍ଡାରରେ ସାଇତି ରଖିବା। ଏହି ନିୟମଟିକୁ ପ୍ରାୟ ପ୍ରତ୍ୟେକ ଗଣତାନ୍ତ୍ରିକ ସରକାର ପାଳନ କରି ଆସୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଆଜିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପର୍ଯ୍ୟନ୍ତ କେହି ଜଣେ ନିଜ କ୍ୟାବିନେଟର ଦୋଷ ବାଛିବାକୁ ପ୍ରସ୍ତୁତ ନୁହନ୍ତି। ବିରୋଧୀ ଦଳ ଆଜିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ହାସ୍ୟାସ୍ପଦ କଥା। ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବେ କି ନଦେବେ, ତାହା ତାଙ୍କର ନୈତିକତା ଉପରେ ନିର୍ଭର କରେ। ପ୍ରଶ୍ନ ହେଉଛି ଜଣେ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଦେଲେ, ସବୁ ଅବ୍ୟବସ୍ଥା ଆପେ ଆପେ ସଜାଡ଼ି ହୋଇଯିବ କି?
ପ୍ରଥମ କଥା ହେଉଛି, ଅଘଟଣ ଘଟିଲା କାହିଁକି? ଅଘଟଣ ଘଟିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା କି? ପ୍ରତ୍ୟେକ ସରକାରୀ ବିଭାଗ ସେମାନଙ୍କ ଦାୟିତ୍ୱକୁ ଠିକ ସମୟରେ ତୁଲାଇ ଆସୁଛନ୍ତି? ମନ୍ତ୍ରୀ ବିଧାୟକଙ୍କ ଦାୟିତ୍ୱ କ’ଣ ରହିବା ଦରକାର? ଏଇଟା ସତ ଯେ ଜଣେ ମନ୍ତ୍ରୀ ରାଜ୍ୟର ସବୁ ଡାକ୍ତରଖାନା, ନର୍ସିଂହୋମର ପରିଚାଳନାଗତ ତ୍ରୁଟିକୁ ଦେଖିବା ସମ୍ଭବ ନୁହେଁ। ମାତ୍ର ଭାତହାଣ୍ଡିରୁ ଗୋଟିଏ ଚିପିଛନ୍ତି କି? ଏଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ମନ୍ତ୍ରୀ ଓ ବିଧାୟକମାନେ ଆପଣା ଆପଣା ଦୋଷକୁ ଘୋଡ଼ାଇବାକୁ ବ୍ୟାକୁଳ।
୫୦ ହଜାର ଟଙ୍କାର ଭାଉଚର ଲୋଭ ଦେଖାଇ କ୍ଷମତାକୁ ଯାଇଥିବା ଦଳ ନିକଟରୁ ସୁଶାସନ ଆଶା କରିବା ବୃଥା।ସାଧାରଣ ଦିନରେ ଏସ୍ସିବି ମେଡିକାଲ କଲେଜରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା କେବେ ବି ସ୍ୱାଭାବିକ ନୁହେଁ। ଏହା ଅତ୍ୟନ୍ତ ଦୁଃଖଦ ଏବଂ ସ୍ପଷ୍ଟ ଭାବେ ଏଡ଼ାଯାଇପାରୁଥିବା ଭଳି ଏକ ଘଟଣା। ଏହାର କାରଣ ଇଲେକ୍ଟ୍ରିିକାଲ ସର୍ଟ ସର୍କିଟ୍ ଯାହା ଗୁରୁତର ଅବହେଳାର ପ୍ରମାଣ। ରାଜ୍ୟର ପ୍ରମୁଖ ଓ ପୁରାତନ ମେଡିକାଲ ଓ କଲେଜ ଭାବେ ଏହା ଉଦାହରଣୀୟ ହେବାର ଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ଆମେ ତାହାର ପୂର୍ଣ୍ଣ ବିପରୀତ ଦୃଶ୍ୟ ଦେଖୁଛୁ। ‘କ୍ଲିନିକାଲ ଏଷ୍ଟାବ୍ଲିସ୍ମେଂଟ୍’ ଆଇନର ଧାରା ୧୦ ଅନୁଯାୟୀ, ନିବନ୍ଧନ ଓ ପୁନଃନବୀକରଣ ପାଇଁ କିଛି ମୂଳଭୂତ ନିୟମ ପାଳନୀୟ; ଯେମିତି ୨୦୧୭ ପରେ ନିର୍ମିତ ସମସ୍ତ ଭବନ ନେସ୍ନାଲ୍ ବିଲ୍ଡିଂ କୋଡ୍-୨୦୦୫ ଅନୁଯାୟୀ ହେବା ଆବଶ୍ୟକ। ଦ୍ୱିତୀୟରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପନ ସାମଗ୍ରୀ ଓ ସୁବିଧା ସହିତ ନିଆଁ ଲିଭା ଗାଡି ଚାରି ଦିଗରୁ ପହଂଚି ପାରିବା ଭଳି ବ୍ୟବସ୍ଥା ଥିବା ଦରକାର।
ତୃତୀୟରେ ଅପେକ୍ଷା କକ୍ଷ ଓ ସାଧାରଣ ଅଂଚଳରେ ସିସି କ୍ୟାମେରା ସଚଳ ଅବସ୍ଥାରେ ରହିବା ଆବଶ୍ୟକ। ଚତୁର୍ଥରେ ଚଳତ୍ଶକ୍ତି ହୀନ ବା ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସୁବିଧାଜନକ ପ୍ରବେଶ ବ୍ୟବସ୍ଥା ରହିବା ଦରକାର। ୨୦୧୬ ମସିହାରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏବେ ତାହାର ପୁନରାବୃତି ହେଲା। ଏହାର ଅର୍ଥ ଆମେ ଅଭିଜ୍ଞତାରୁ ଶିକ୍ଷା ପାଇ ନ ଥାଉ।
ଏପରି ଘଟଣା ପରେ କିଛି ଲକ୍ଷ ଟଙ୍କା ‘କ୍ଷତିପୂରଣ’ ଆକାରରେ ଦିଆଯାଏ ଏବଂ କିଛି ଦିନ କିମ୍ବା ମାସ ପରେ ଏହି ଘଟଣା ମନରୁ ଲିଭିଯାଏ, ପୁଣି ଥରେ ଏପରି ଘଟଣା ଘଟିବା ପର୍ଯ୍ୟନ୍ତ। ଭାରତର ପ୍ରଶାସନିକ ବ୍ୟବସ୍ଥାରେ ଦାୟିତ୍ୱବୋଧର ଅଭାବ ସ୍ପଷ୍ଟ; ଏହି କାରଣରୁ ଦଣ୍ଡ ବିଧାନ ପ୍ରାୟ ଅନୁପସ୍ଥିତ। ଦେଖାଯାଏ, କେବଳ କ୍ଷତିପୂରଣ ଦେବା ସହିତ ତଦନ୍ତ କମିଟି ଗଠନରେ ଦାୟିତ୍ୱ ସରିଯାଏ। ତେଣୁ ଏହି ସଂଦର୍ଭରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯିବାର ଆବଶ୍ୟକତା ଅଛି।
ପ୍ରଥମ ପ୍ରଶ୍ନ, କଟକ ଓ ଭୁବନେଶ୍ୱରରେ ମୋଟ କେତେ ଗୋଟି ‘କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍’ ନିୟମାବଳୀ ସୂତ୍ରରେ ନିବନ୍ଧିତ ଓ ପୁନଃନବୀକୃତ ଦ୍ୱିତୀୟରେ ସେମାନଙ୍କ ମଧ୍ୟରୁ କେତୋଟିରେ ଚବିଶି ଘଂଟିଆ ଅଗ୍ନି ନିର୍ବାପନରେ ପ୍ରଶିକ୍ଷିତ କର୍ମଚାରୀଙ୍କ ସହିତ ଦକ୍ଷ ଅଗ୍ନି ନିର୍ବାପନ ବ୍ୟବସ୍ଥା ରହିଛି? ତୃତୀୟରେ, କେତେ ଗୋଟି ସଂସ୍ଥାରେ ଦମକଳ ପାଇଁ ଚାରି ଦିଗରୁ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରହିଛି? ଚତୁର୍ଥରେ ଅଗ୍ନି ସୁରକ୍ଷା ବିଭାଗ ଦ୍ୱାରା ଏପରି ସଂସ୍ଥାମାନଙ୍କର ନିୟମିତ ଯାଂଚ୍ କରାଯାଏ କି? ପଂଚମରେ ନିୟମ ଉଲ୍ଲଂଘନ କରିଥିବା କୌଣସି କ୍ଲିନିକାଲ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି? ଷଷ୍ଠ ହେଲା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ବିନା କୌଣସି କ୍ଲିନିକାଲ ଅନୁଷ୍ଠାନ ବା ଡାକ୍ତରଖାନା ସ୍ଥାପନ କରିବାକୁ ଅନୁମତି ଦିଆଯାଉଛି କି? ସପ୍ତମରେ କଟକ ଓ ଭୁବନେଶ୍ୱରରେ କେତେ ଗୋଟି ଏପରି ଭବନ, ନେସନାଲ ବିଲଡିଂ କୋଡ୍-୨୦୦୫ ଅନୁସରଣ କରିନାହାନ୍ତି? ଏବଂ ଶେଷ ପ୍ରଶ୍ନ ହେଲା ଏହାର ଜବାବ କିଏ ଦେବେ? ବୋଧହୁଏ କେହି ନୁହେଁ। ଯେଉଁମାନେ ଦାୟୀ, ସେମାନେ ମଧ୍ୟ ନୁହେଁ।