ଓଡ଼ିଆ ଭାଷାର ସୁରକ୍ଷା ଦାୟିତ୍ୱ ସବୁ ଓଡ଼ିଆଙ୍କର : ଡଃ ପାଟ୍ଟଶାଣୀ

୩ ଲକ୍ଷ ଶବ୍ଦ ଭଣ୍ଡାରରେ ଓଡ଼ିଆ ଭାଷା ସମୃଦ୍ଧ …

ଭୁବନେଶ୍ୱର୍: ୩ ଲକ୍ଷ ଶବ୍ଦ ଭଣ୍ଡାରରେ ଓଡ଼ିଆ ଭାଷା ସମୃଦ୍ଧ ହୋଇଥିବା ସ୍ଥଳେ ଏହାର ସୁରକ୍ଷା ଦାୟିତ୍ୱ ସବୁ ଓଡ଼ିଆଙ୍କର ବୋଲି ବିଶିଷ୍ଟ କବି ତଥା ଜନନେତା ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଛନ୍ତି। ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ରୌପ୍ୟଜୟନ୍ତୀ ମହାସମାରୋହରେ ପାଳିତ ହେଉଥିବା ସ୍ଥଳେ ଏହାର ସମ୍ବର୍ଦ୍ଧନା ଉତ୍ସବକୁ ଉଦ୍ଘାଟନ କରି ଡଃ ପାଟ୍ଟଶାଣୀ କହିଛନ୍ତି ଯେ, ସାହିତ୍ୟ ସଭା ସଂଖ୍ୟା ଗଣନାର କ୍ଷେତ୍ର ନୁହେଁ, ଏଠାରେ ଚିନ୍ତାଶୀଳ କବି ଓ ଦିଗ୍ଦର୍ଶକ ସାହିତ୍ୟିକଙ୍କ ଉପସ୍ଥିତି ସଭାର ଗୁରୁତ୍ୱ ବଢାଏ। ଇଂରାଜୀ ଭାଷାରେ ମାତ୍ର ୨୦ ହଜାର ଶବ୍ଦ ଥିବା ସ୍ଥଳେ ୩ ଲକ୍ଷ ଶବ୍ଦ ସମ୍ଭାରରେ ଓଡ଼ିଆ ଭାଷା ଏହାଠାରୁ ଶ୍ରେଷ୍ଠ ବୋଲି ସେ କହିଥିଲେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଏହି ଅବସରରେ ସାହିତ୍ୟ ସଭାର ଆଲୋଚନା ସହିତ ସାହିତ୍ୟ ବଞ୍ଚବାକୁ ଅର୍ଥ ମଧ୍ୟ ଆବଶ୍ୟକ ବୋଲି ଦର୍ଶାଇଥିଲେ। ଓଡ଼ିଶାରେ ସମସ୍ତଙ୍କ ହୃଦୟରେ ଶ୍ରୀଜଗନ୍ନାଥ ରହିଥିବା ସ୍ଥଳେ ସମସ୍ତଙ୍କ ପାଇଁ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆବଶ୍ୟକ ବୋଲି ମତ ଦେଇଥିଲେ। ଆଲୋଚନାରେ ସଭାପତିତ୍ୱ କରି ପ୍ରଗତିଶୀଳ ଲେଖକ ମହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଲେଖକ ମହାସଂଘର ୨୫ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ବର୍ଷବ୍ୟାପୀ ବିଭିନ୍ନ ରଚନାତ୍ମକ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କହିଥିଲେ। ଏଥିସହିତ ପ୍ରଗତିିଶୀଳ ଲେଖକ ଓ କବିମାନଙ୍କର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଥିବା କହିଥିଲେ। ମହାସଂଘର ପ୍ରତିଷ୍ଠାତା କବି କଣ୍ଡୁରୀ ଚରଣ ଦାସ ମହାସଂଘ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଉଲ୍ଲେଖନୀୟ ଘଟଣାର ଅବତାରଣା କରିଥିଲେ। କବି ଡ. ରକ୍ଷକ ନାୟକ ଏହି ସଂଗଠନ ସହ ଯୁବଗୋଷ୍ଠୀଙ୍କୁ ସମ୍ପୃକ୍ତ କରାଇବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଭାତ ବେହୁରା, ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା ପ୍ରମୁଖ କବି, ସାହିତ୍ୟିକ ଆଦିଙ୍କର ସମାଜ ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋଡର଼୍ର ସାଧାରଣ ସମ୍ପାଦକ ସନତ ମିଶ୍ର ସଭାର ପ୍ରାକ୍ ସୂଚନା ଦେଇଥିଲେ। ଉଦ୍ଘାଟକ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି ଅବସରରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ସ୍ମରଣିକା-୨୦୨୫ ଏବଂ ପ୍ରଗତିଶୀଳ ସମ୍ବାଦପତ୍ର ‘ଓଡ଼ିଶା ସ୍ୱର’ ଉନ୍ମୋଚନ କରିଥିଲେ। ମହାସଂଘର ୨୫ବର୍ଷର ପୂର୍ତ୍ତି ଉପଲକ୍ଷେ ୨୫ଜଣ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ଉଦ୍ଘାଟକ ଏବଂ ଅତିଥିଗଣ ସମ୍ମାନିତ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ହେମଚନ୍ଦ୍ର ମହାପାତ୍ର ଓ ଗୋଲକ ବିହାରୀ ନାୟକଙ୍କ ସହଯୋଗରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଏହ କାର୍ଯ୍ୟକ୍ରମରେ ଗୌରଚନ୍ଦ୍ର ମହାପାତ୍ର, ପ୍ରଭାସ ରଞ୍ଜନ ଦାସ, ବିଶ୍ୱରଞ୍ଜନ ସାହୁ ଓ ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ସହାୟତା କରିଥିଲେ।