ସେପ୍ଟେମ୍ବର ୧ ତାରିଖରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଆସନ୍ତା ମାସ ୧ ତାରିଖରୁ ଖୋଲିବ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର । ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ନିୟମ ପାଳନ କରିବେ । କୋଭିଡ-୧୯ ଟିକାର ଉଭୟ ଡୋଜ୍‌ ନେଇଥିବା ଭକ୍ତ କେବଳ ମନ୍ଦିର ଭିତରକୁ ପ୍ରବେଶ କରିାରିବେ ।ଏନେଇ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହିତ ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ସହ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ୱରୀ, ମା ପାର୍ବତୀଙ୍କ ପାଇଁ ତିନିଟି ରୂପାର ପ୍ରଭା ତିଆରି ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍‌ କଟକଣା କଡ଼ାକଡ଼ି ହେବ । ନିୟମିତ ବ୍ୟବଧାନରେ ସେବାୟତ କୋଭିଡ୍‌ ଟେଷ୍ଟିଂ, ମନ୍ଦିର ପରସରକୁ ନିୟମିତ ବିଶୋଧନ କରିବାକୁ କୁହାଯାଇଛି । ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ଆଡ଼ପ ମଣ୍ଡପରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି ।