‘ତୁ ତ ମୁତୁରି ମୁଁ ତ ମୁତୁରି’ ଭିତରେ ସରିବ ରାଜ୍ୟ ବଜେଟ୍‌ ଅଧିବେଶନ

୧୩ ତାରିଖରୁ ରାଜ୍ୟ ଅଧିବେଶନ, ୧୭ରେ ବଜେଟ୍‌ ଉପସ୍ଥାପନ
ଗୁରୁବାର (୧୩/୨/୨୦୨୫) ଦିନଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବାର ନିଷ୍ପତି ନିଆଯାଇଛି । ସେଥିପାଇଁ ବାଚସ୍ପତିଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ମିଳିତ ବୈଠକ ପ୍ରକ୍ରିୟା ।

ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚାଲିବା ପାଇଁ ବିରୋଧୀ ଦଳ ନିକଟରୁ ସହଯୋଗ କାମନା କରିଛନ୍ତି ବାଚସ୍ପତି ଯାହା ଏକ ଚିରାଚରିତ ପ୍ରକ୍ରିୟା ମାତ୍ର । ଫେବୃଆରୀ ୧୭ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ୍‌ ୨୦୨୪-୨୫ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ।
ଫେବୃଆରୀ ୧୩ ତାରିଖରୁ ୨୧ ଓ ମାର୍ଚ୍ଚ ୭ ତାରିଖରୁ ଏପ୍ରିଲ ୫ ତାରିଖ ଯାଏ ଅଧିବେଶନ ଚାଲିବ ।
ଅଧିବେଶନଟି ବେଶ ସରଗରମ ହେବ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ଆଶା କରୁଛନ୍ତି । ମାତ୍ର ବିରୋଧୀଙ୍କ ପାଟି ଚୁପ୍‌ କରିବାର ସବୁ କଳା ବିଜେପିକୁ ମାଲୁମ ଅଛି । କିଛି ନପାରିଲେ, ପରସ୍ପରକୁ କାଦୁଅ ଫିଙ୍ଗି ପ୍ରକୃତ ସମସ୍ୟା ଉପରୁ ଲୋକଙ୍କ ଦୃଷ୍ଟି ଏଡ଼ାଇ ଦିଆଯିବ ।

ମାତ୍ର ୮ ମାସର ସରକାରକୁ ଘେରିବା ପାଇଁ ବିଜେଡି ପାଖରେ ସେପରି ଟାଣୁଆ ଅସ୍ତ୍ର ନାହିଁ । ବିଗତ ୨୪ ବର୍ଷ କାଳ କ୍ଷମତାରେ ରହି ବିଜେଡି ଯେତେସବୁ କେଳେଙ୍କାରୀ କରିଛନ୍ତି, ତା’ର କଳାଚିଠା ବିଜେପି ହାତରେ ରହିଛି ଯାହା ବିଜେଡି ପାଟି ବନ୍ଦ କରିବାକୁ ଯଥେଷ୍ଟ ।
ଧାନକିଣାରେ ନାନା ବିଭ୍ରାଟ ଦୂର କରିବାକୁ ବିଜେପି ସରକାର ସଫଳ ହୋଇପାରିନି । କୃଷି ମନ୍ତ୍ରୀ ଯେତେ ସଫେଇ ଦେଲେ ମଧ୍ୟ ଓଡ଼ିଶାର ଉପକୂଳରୁ ଆରମ୍ଭ କରି ପଶ୍ଚିମାଂଚଳର ଚାଷୀମାନଙ୍କୁ ନାନା ଅସୁବିଧା ଭୋଗିବାକୁ ପଡୁଛି ।
ଡବଲ୍‌ ଇଂଜିନ ସରକାରଙ୍କ ଦାଉ ପୂର୍ବ ତୁଳନାରେ କିଛି କମ୍‌ ନାହିଁ । ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ପଡୋଶୀ ରାଜ୍ୟକୁ ଧାନ ଚାଲିଯାଉଛି ବୋଲି ଅଭିଯୋଗମାନେ ଶୁଣିବାକୁ ମିଳୁଛି । ଏଫ୍‌ଏକ୍ୟୁ ଆଳରେ ଧାନ କଟ୍‌ନି ଛଟନି ଚାଲିଛି ଯାହା ଚାଷୀ ମହଲକୁ ଅସନ୍ତୁଷ୍ଟ କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ଆକାଶଛୁଅାଁ ଦରବୃଦ୍ଧି ରୋକିବାକୁ ମୋହନ ମାଝିଙ୍କ ସରକାର ବିଫଳ ହୋଇଛନ୍ତି ।

ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳକୁ ମଶା ଦଖଲ କରିଛନ୍ତି । କଣାସରେ ହଇଜା, ଉପାନ୍ତ ଓଡ଼ିଶାରେ ଡେଙ୍ଗୁ ବ୍ୟାପୁଛି । ପୋଲାଭରମ୍‌, ମହାନଦୀ, ବଂଶଧାରା, କୋଟିଆ ପ୍ରସଙ୍ଗରେ ବିଜେପିକୁ ଘେରି ପାରିବନି ବିଜେଡି ।
ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡ଼ି ଯାଇଛି ବୋଲି ବିଜେଡି ଅଭିଯୋଗ କଲେ ବିଜେପି ନବଦାସଙ୍କ ହତ୍ୟା ମାମଲାକୁ ଉଠାଇ ବିଜେଡିର ମୁହଁ ବନ୍ଦ କରିବାର ସମ୍ଭାବନା ରହିଛି ।
ମୋଟ ଉପରେ କହିଲେ, ଆଗାମୀ ଅଧିବେଶନଟା ‘ତୁ ତ ମୁତୁରି, ମୁଁ ତ ମୁତୁରି’ ଭିତରେ ସରିଯିବ । ଅଧିବେଶନ ଖର୍ଚ୍ଚ ବାବଦକୁ ରାଜକୋଷରୁ କିଛି ଲକ୍ଷ ଟଙ୍କା ଚାଲିଯିବ । ସେତିକି ଦୁଃଖ ତା’ ନହେଲେ ସବୁ ଠିକ୍‌ଠାକ୍‌ ।