ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକଙ୍କୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ । ତେବେ ଆସନ୍ତା ୩୧ ତାରିଖରେ ଏହି ଯୋଜନା ସମାପ୍ତ ହେଉଥିବାର ବେଳେ ରାଜ୍ୟ ସରକାର ଏହାକୁ ପୁନଃ ନବୀକରଣ କରିଛନ୍ତି । କାଳିଆ ଯୋଜନାକୁ ଆଉ ତିନି ବର୍ଷ ପାଇଁ ବଢ଼ାଇବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
ତେବେ ଗତକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିଥିବା ବେଳେ ସେଥିରେ ୨୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା । ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏ ବାବଦରେ ସବିଶେଷ ସୂଚନା ଦିଆଯାଇନାହିଁ । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ମିଳିବ । ଅକ୍ଷୟ ତୃତୀୟା ଓ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ । ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିବା ଜଣାପଡ଼ିଛି ।
ଏଥିସହିତ କୋଭିଡଙ୍କ ଅନାଥଙ୍କ ପାଇଁ ଆଶିର୍ବାଦ ଯୋଜନା, ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ସମଲାଇ ପ୍ରକଳ୍ପ, ପୁରୀରେ ଅବଢ଼ା ଯୋଜନା ଓ ସହରର ଉନ୍ନତିକରଣ ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।