ରାଜ୍ୟରେ ଲାଗୁ ହେଲା ସାପ୍ତାହିକ ସଟଡାଉନ ବା ତାଲାବନ୍ଦ

ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନାର ଦ୍ୱିତୀୟ ଲହରି ଦିନକୁ ଦିନ ଭୟଙ୍କର ହେବା ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରୁ ସରକାର କଟକଣାକୁ ଆହୁରି କଡାକଡି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସାପ୍ତାହିକ ସଟଡାଉନ ବା ତାଲାବନ୍ଦ ଲାଗି ସରକାର ଘୋଷଣା କରିଛନ୍ତି । ଆସନ୍ତା ୨୪ତାରିଖରୁ ରାଜ୍ୟର ସମସ୍ତ ସହରାଂଚଳରେ ସାପ୍ତାହିକ ଶଟଡାଉନ୍ ଲାଗୁ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ।
ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ବର ମାସରେ ସକ୍ରିୟ ସଂକ୍ରମିତ ୪ ହଜାର ୫୦୦ ଥିବାବେଳେ ଏବେ ଦ୍ୱିତୀୟ ଲହରୀରେ ଆଜି ୪ ହଜାର ୪୪୫ଜଣ ସଂକ୍ରମିତ ଅଛନ୍ତି । ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଂଚଳରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରାଯାଇଛି ।
ପୂର୍ବରୁ ସୀମାବର୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ଶଟଡାଉନ୍ ରହିଛି । ଏବେ ପଶ୍ଚିମ ଓଡିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତର ରହିଥିଲା ବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ତେବେ ଏସବୁ ଏହା କେବଳ ସହରାଂଚଳ(ପୌରାଂଚଳ ଓ ଏନଏସି) ପାଇଁ ଲାଗୁ ହେବ । ପଡୋଶୀ ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ ସମେତ ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଆଦିରେ କୋଭିଡ୍ ସଂକ୍ରମିତ ବୃଦ୍ଧି ପାଉଥିବା ଯୋଗୁ ସେଠାରେ ଶଟଡାଉନ୍ ଘୋଷଣା ହୋଇଛି । ତେବେ ଓଡିଶାରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସାପ୍ତାହିକ ଶଟଡାଉନ୍ ପାଇଁ ନିଷ୍ପତି ନେଇଛନ୍ତି ।
ତେବେ ଏହି ଶଟଡାଉନବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ମାଲବାହୀ ପରିବହନ ଯଥାବତ୍ ଜାରି ରହିବ । ଅତ୍ୟାବଶ୍ୟକ ସେବା ଯଥା- ସ୍ୱାସ୍ଥ୍ୟ ସେବା, ଶକ୍ତି, ପାନୀୟ ଜଳ ଯୋଗାଣ, ଏଲପିଜି, ଟେଲିକମ୍‌, ଗଣମାଧ୍ୟମ ସଂସ୍ଥା ଆଦି ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ । ସେହିପରି କୋଭିଡ୍ ଗାଇଡଲାଇନ୍‌କୁ କଡାକଡି କରି ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡିବ । ବାହାଘର ଆୟୋଜନ ପୂର୍ବରୁ ଯେଉଁ ୫୦ ଜଣ ଉପସ୍ଥିତ ରହିବେ ସେମାନଙ୍କ ତାଲିକା ସ୍ଥାନୀୟ ଅଧିକାରୀଙ୍କୁ ୨୪ ଘଂଟା ପୂର୍ବରୁ ଦେବାକୁ ହେବ । ବିବାହ ଶୋଭାଯାତ୍ରା କଲେ ଗାଡି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଶୁଦ୍ଧି କାମରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ । ହୋଟେଲ, ରେଷ୍ଟୁରାଂଟରେ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ । ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଯାଇଛି । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।