ସୁଭଦ୍ରା ଯୋଜନା ମିଶନ ଶକ୍ତି ମୁଭମେଣ୍ଟ ଓ ଏସେଏଚଜି କାର୍ଯ୍ୟକଳାପକୁ ଦୁର୍ବଳ , ନିଷ୍କ୍ରିୟ ଓ ଦିଶାହୀନ କରିଦେଇଛି।

ଗତ ନିର୍ବାଚନରେ ବିଜେଡ଼ିର ପାରମ୍ପରିକ ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବା ଓ ସମୁଦାୟ ଭୋଟ ମତଦାତାଙ୍କ ମଧ୍ୟରୁ ଅର୍ଦ୍ଧେକ ଅଂଶ ଥିବା ମହିଳା ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରି ସମର୍ଥନ ହାସଲ କରି ନିର୍ବାଚନ ରାଜନୀତିରେ ଭୋଟ ହାତେଇ ବିଜୟ ହାସଲ କରିବା ନିମନ୍ତେ ବିଜେପି ଦଳ ସୁଭଦ୍ରା ଯୋଜନା ନାମରେ ଏକ ଲୋଭନୀୟ ଓ ଆକର୍ଷକ ଯୋଜନା ନିଜ ନିର୍ବାଚନୀ ଇସ୍ତାହାରରେ ସ୍ଥାନିତ କରିଥିଲା। ଯେଉଁଥିରେ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତି ପରିବାରର ସମସ୍ତ ଯୋଗ୍ୟ ମହିଳାଙ୍କୁ ଦୁଇ ବର୍ଷରେ ସେମାନଙ୍କ ସ୍ବାବଲମ୍ବୀ ନିମନ୍ତେ ୫୦ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ ବୋଲି ଘୋଷଣା କରିଥିଲେ।

ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ ବିଜେପିର ସମସ୍ତ ତୁଙ୍ଗ ନେତା ନିଜ ଅଭିଭାଷଣରେ ଉଲ୍ଲେଖ କରି ଜୋର୍ ସୋରରେ ପ୍ରଚାର ପ୍ରସାର କରେଇ ଥିଲେ। ଫଳରେ ମହିଳା ଭୋଟର ମାନେ ପଚାଶ ହଜାର ପାଇବା ଲୋଭରେ ଓ ଲକ୍ଷ୍ୟରେ ବିଜେଡି ଠାରୁ ମୁହଁ ଫେରେଇ ବିପୁଳ ମାତ୍ରାରେ ବିଜେପିକୁ ସମର୍ଥନ ଦେଇଥିଲେ। ଫଳ ସ୍ୱରୂପ ବିଜେପି ଆଜି ଦୀର୍ଘ ପଚିଶ ବର୍ଷ ହେଲା ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜେଡି ସରକାରକୁ କ୍ଷମତାରୁ ହଟେଇ ଓ ଗାଦିରୁ ପଦଚ୍ୟୁତ କରି ଓଡ଼ିଶାରେ କ୍ଷମତା ଦାଖଲ କରି ସରକାର ଗଠନ କରିବାକୁ ସକ୍ଷମ ହେଲା। ବିଜେପି ନିଜ ରାଜନୈତିକ ଚାତୁର୍ଯ୍ୟ ଓ ବୁଦ୍ଧିମତାକୁ ଅତି ଚତୁରତାର ସହ ପ୍ରୟୋଗ କରି ମହିଳା ଭୋଟ ଅକ୍ତିଆର କରିବା ସକାଶେ ଯେଉଁ ସୁଭଦ୍ରା ଯୋଜନାର ପରିକଳ୍ପନା କରିଥିଲା ତାହା ଏତେ ପରିମାଣରେ ମହିଳାଙ୍କ ମଧ୍ୟରେ ଆଦୃତ ହେବ ଓ ଦଳକୁ ଗେମ ଚେଞ୍ଜର ସାବ୍ୟସ୍ତ କରି ରାଜ୍ୟରେ ଦଳକୁ ସରକାରକୁ ଆଣିଦେବ ନିଜେ ବିଜେପି ଦଳ ଓ ଏହାର ନେତୃତ୍ୱ ମଧ୍ୟ କଲ୍ପନା କରିନଥିଲା।

ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ ସୁଭଦ୍ରା ତାହା ସମ୍ଭବ କରି ଦେଖେଇଲା। ତେଣୁ ଯେଉଁ ଫ୍ଲାଗସିପ ସୁଭଦ୍ରା ଯୋଜନା ଲାଗି ବିଜେପି କ୍ଷମତାକୁ ଆସିଲା ସେହି ଯୋଜନାକୁ ପ୍ରଥମେ ଲାଗୁ କରି ମହିଳାମାନଙ୍କୁ ଭେଟି ଦେବା ପାଇଁ ନୂତନ ବିଜେପି ସରକାର ଚିନ୍ତା କଲେ। ଯେହେତୁ ଏହି ଯୋଜନାଟି ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ସେହି ଅନୁଯାୟୀ ଏହି ଯୋଜନା ଲାଗୁ କରିବା ନିମନ୍ତେ ସ୍ଵାଭାବିକ ଭାବେ ନୋଡାଲ ବିଭାଗ ରୂପେ ମହିଳା ଓ ଶିଶୁ ବିଭାଗକୁ ଦାୟିତ୍ଵ ଦିଆଗଲା। ବିଭାଗ ମଧ୍ୟ ଅତି ତତ୍ପରତାର ସହ ଏଭଳି ଏକ ଅଭିନବ ଓ ବିଶାଳ ଆକାରର ଯୋଜନାକୁ ଲାଗୁ କରିବା ନିମନ୍ତେ ମାର୍ଗଦର୍ଶିକା ଓ ଏସଓପି ମାନଦଣ୍ଡ ପ୍ରସ୍ତୁତ କରିବାରେ ଲାଗିଗଲା। ଏବଂ ଏଥିନିମନ୍ତେ ଯୋଗ୍ୟ ମହିଳାମାନଙ୍କ ନିକଟରୁ ଆବେଦନ ପତ୍ର ଆହ୍ବାନ କଲା। କିନ୍ତୁ ଏତେ ବଡ ଏକ ଯୋଜନାକୁ ନିର୍ଭୁଲ ଭାବେ ଲାଗୁ କରିବା ନିମନ୍ତେ ଯେଉଁ ଧର୍ଯ୍ୟ , ବ୍ୟାପକ ବିଚାର ବିମର୍ଷ , ପୂର୍ବ ପ୍ରସ୍ତୁତି, ଚିନ୍ତନ ଓ ପ୍ରତିନ୍ୟୁମତତାର ଆବଶ୍ୟକ ଥିଲା ତାହାର ଉପଯୋଗ ନକରି ବିଭାଗ ଅତି ତରବରିଆ ଭାବରେ ମାର୍ଗଦର୍ଶିକା ଓ ମାନଦଣ୍ଡ ପ୍ରସ୍ତୁତ କରିଦେଲା।

ଫଳରେ ଯୋଜନା ଲାଗୁ କଲାବେଳେ କ୍ଷେତ୍ର ସ୍ତରରେ ଅନେକ ଭୁଲ ଓ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଲା । ସେହିଭଳି ଏହି ଯୋଜନାର ଲାଭ କିଭଳି ପାଇବେ ଏବଂ ଏ ସମ୍ପର୍କିତ ସଠିକ୍ ତଥ୍ୟ ପ୍ରଚାର ପ୍ରସାର ଅଭାବରେ ହିତାଧିକାରୀଙ୍କ ମଧ୍ୟରେ ଏଭଳି ଆବ୍ୟବ୍ୟସ୍ଥା ନେଇ ଅସନ୍ତୋଷ ଦେଖା ଆରମ୍ଭ କଲା। ତେଣୁ ସରକାର ବାଧ୍ୟ ହୋଇ ବାରମ୍ୱାର ଏହାର ମାର୍ଗଦର୍ଶିକା ଓ ଏସଓପିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ। ଯୋଜନାର ବ୍ୟାପକତା ଓ ବିଶାଳତା ସରକାର ଓ ପ୍ରଶାସନ ଆକଳନ କରିବାରେ ବିଫଳ ରହିଲେ। ଆଜିପର୍ଯ୍ୟନ୍ତ୍ ଏହି ଯୋଜନାର ଲାଭ ନେବା ପାଇଁ ଦେଢ଼ କୋଟି ମହିଳା ଆବେଦନ କରି ସାରିଲେଣି ବୋଲି ସରକାର ନିଜେ କହୁଛନ୍ତି। ଯଦିଓ ସରକାର ନିଜ ଇସ୍ତାହାରରେ ଦୁଇ ବର୍ଷରେ ପ୍ରତ୍ୟେକ ମହିଳାଙ୍କ ଖାତାକୁ ଦୁଇଟି ପର୍ଯ୍ୟାରେ ୫୦ ହଜାର ଯିବ ବୋଲି କହିଥିଲେ। ତଥାପି ଏତେ ପରିମାଣର ଆବେଦନ ଓ ଅର୍ଥନୈତିକ ଅବସ୍ଥା ଆକଳନ ଓ ହିସାବକୁ ନେଇ ଯୋଜନା ଓ ପ୍ରତିଶ୍ରୁତିରେ ସାମାନ୍ୟ ପରିବର୍ତ୍ତନ କରି ପ୍ରତି ମହିଳାଙ୍କୁ ପାଞ୍ଚ ହଜାର ଲେଖାଏଁ ବର୍ଷକୁ ଦୁଇ ଥର କରି ସମୁଦାୟ ଦଶ ହଜାର କରି ପାଞ୍ଚ ବର୍ଷରେ ୫୦ ହଜାର ପ୍ରଦାନ କରିବେ ଓ ନିଜ ପ୍ରତିଶ୍ରୁତି ପୂରଣ କରିବେ ବୋଲି ଘୋଷଣା କଲେ।

କିନ୍ତୁ ପ୍ରଯୁକ୍ତି ବିଦ୍ୟା ଆଧାରିତ ଏକ ସଶକ୍ତ ଓ ମଜଭୁତ ବ୍ୟବସ୍ଥା କରି ସମସ୍ତଙ୍କୁ ଏକା ଥରେ ଏହି ଯୋଜନାର ଲାଭ ଦେବା ବଦଳରେ ତରବରିଆ ଭାବେ ଲାଗୁ କରିବାକୁ ଯାଇ ପ୍ରଥମେ ୨୫ ଲକ୍ଷ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ପାଞ୍ଚ ହଜାର ଏହି ଯୋଜନା ଅଧୀନରେ ଅଦ୍ୟାବଧି ପ୍ରଦାନ କରିବାକୁ ସକ୍ଷମ ହୋଇଛନ୍ତି। ସରକାର ଯେତିକି ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରିଛନ୍ତି ତାହାଠାରୁ ଢେର୍ କେଇ ଗୁଣା ଅଧିକ ମହିଳା ଏହି ଯୋଜନାର ଲାଭ ପାଇବା ଓ ଅନ୍ତର୍ଭୁକ୍ତ ହେବା ନେଇ ଅପେକ୍ଷା ରତ । ଯେଉଁମାନେ ଏହି ଯୋଜନାର ଲାଭ ପାଇଲେ ସେମାନେ ଖୁସି ଓ ସରକାରଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଯେଉଁମାନେ ଏହାର ସୁବିଧା ଏହି ଦୁଇଟି ପର୍ଯ୍ୟାୟରେ ଏହି ଯୋଜନାରେ ନିଜକୁ ପାଇଲେ ନାହିଁ ସେମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଖେଳିବା ସହ ମାନସିକ ଉତ୍କଣ୍ଠା, ଅବସାଦ , ନିର୍ଯ୍ୟାତନା ଓ ହୀନମାନ୍ୟତାର ଶୀକାର ହେଇଛନ୍ତି। କାରଣ ଗୋଟିଏ ଅଞ୍ଚଳ, ସାହି ଓ ପରିବାରରେ ଜଣେ ପାଇ ଆଉ ଜଣେ ଏଥିରୁ ବଞ୍ଚିତ ହେବା ଫଳରେ ସାମାଜିକ ବିଶୃଙ୍ଖଳା ଓ ପାରିବାରିକ ଅଶାନ୍ତି ଦେଖା ଦେଲାଣି। ସରକାର ଯଦିଓ ସମସ୍ତ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବ କହୁଥିଲେ ସୁଦ୍ଧା ମହିଳାମାନଙ୍କ ଉତ୍କଣ୍ଠା ଓ ଧର୍ଯ୍ୟରେ ଭଟ୍ଟା ଆସିଗଲାଣି।

ସରକାରଙ୍କୁ ଓ ନିଜ ଭାଗ୍ୟକୁ କୋସି ନିଜକୁ ସାନ୍ତ୍ଵନା ଦେଇ ଚୁପ୍ ରହିବାକୁ ଶ୍ରେୟ ମନୁଛନ୍ତି। ସରକାର ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ଟେକ୍ନୋଲୋଜିକୁ ବ୍ୟବହାର କରି ଲାଗିରହିଥିବା ଅବ୍ୟବସ୍ଥା ଓ ବିଳକ୍ଷଣ କୁ ଦୂର କରି କିଭଳି ସବୁ ଯୋଗ୍ୟ ମହିଳାଙ୍କୁ ଏକାଥରେ ଏହି ଯୋଜନାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇପାରିବ ସୁନିଶ୍ଚିତ କରାନ୍ତୁ। ନଚେତ୍ ଏହି ସୁଭଦ୍ରା ଯୋଜନା ସରକାରଙ୍କୁ ଯେଉଁ ଗୌରବ ଓ ସମର୍ଥନ ଆଣିଦେଇଛି ତାହା ବୁମେରାଙ୍ଗ ନ ପାଲଟି ଯାଉ। କାରଣ ଏହି ଯୋଜନାରେ ସାମିଲ ହେବା ନିମନ୍ତେ ଆଧାର, ଫୋନ ଓ ଡିବିଟି ଲିଙ୍କ ନିମନ୍ତେ ସମସ୍ତେ ଯେଉଁ ହଇରାଣ ହରକତ ଓ ଅସୁବିଧା ଏବଂ ଖର୍ଚ୍ଚାନ୍ତ ହେଇଛନ୍ତି ତାହା ଅବର୍ଣ୍ଣନୀୟ। ତେଣୁ ଏତେ ସବୁ ସ୍ୱତ୍ତେ ଯଦି ସରକାରଙ୍କ ଦ୍ଵାରା ବିଭକ୍ତିକରଣ ଓ ବର୍ଗୀକରଣର ଶୀକାର ହୁଅନ୍ତି ତାହା ତାଙ୍କୁ ନିରୁତ୍ସାହିତ କରିବ ଏବଂ ସରକାରଙ୍କ ଠାରୁ ନିଜ ସମର୍ଥନ ଓ ମୁହଁ ଯେ ଫେରେଇ ନେବେ ଏହାକୁ ଏଡେଇ ଦେଇ ହେବ ନାହିଁ। ସୁତରାଂ ସରକାର ତୁରନ୍ତ ସମସ୍ତ ଆବେଦନ କାରୀଙ୍କୁ ଏହି ଯୋଜନାରେ ସାମିଲ କରି ପାର୍ଟ ପାର୍ଟ ପରିବର୍ତ୍ତେ ଏକା ସଙ୍ଗରେ ସମସ୍ତଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବା ନିମନ୍ତେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ସୁଭଦ୍ରା ଯୋଜନା ଲାଗୁ ହେଲା ପରେ ଆଉ ଏକ ବିପଦଜନକ ଦିଗ ସମ୍ନାକୁ ଆସିବାରେ ଲାଗିଛି।

ତାହା ହେଲା ପୂର୍ବ ସରକାର ସମୟରେ ମିଶନ ଶକ୍ତି ଆନ୍ଦୋଳନ ଓ ସ୍ବୟଂ ସହାୟକ ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ନାମରେ ଚାଲିଥିଲା ସେଥିରେ ଶିଥିଳତା ଆସିବା ସହ ତାହା ବିପଥଗାମୀ ଓ ଦିଶାହିନ ହେଇ ଯାଇଛି। ଏସଏଚଜି ମାଧ୍ୟମରେ ମହିଳାଙ୍କୁ ତାଲିମ ଓ ବ୍ୟାଙ୍କ୍ ଲିଙ୍କ ମାଧ୍ୟମରେ ସ୍ବାବଲମ୍ବୀ ଓ ଉଦ୍ୟମତା ସୃଷ୍ଟିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଯଦିଓ ସବୁ କାର୍ଯ୍ୟକ୍ରମ ଓ ଯୋଜନା ଭଳି ଏହାର ରୂପାୟନରେ କିଛି ଲେକୁନା ରହିଛି। ତଥାପି ଏହା ଅନସ୍ଵିକାର୍ଯ୍ୟ ଯେ ଏହି କାର୍ଯ୍ୟକ୍ରମ ବାଟବଣା ହେବା ଦ୍ଵାରା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ମହିଳାମାନଙ୍କ ସ୍ଥିତି ଓ ଆର୍ଥିକ ପରିସ୍ଥିତିର ପ୍ରଭାବ ପଡ଼ିଛି। ତେଣୁ ସୁଭଦ୍ରା ଯୋଜନା ସହ ସାମନ୍ତରାଳ ଭାବରେ ମିଶନ ଶକ୍ତି ଓ ଏସଏଚଜି କାର୍ଯ୍ୟକ୍ରମକୁ ଗୁରୁତ୍ତ୍ଵ ପ୍ରଦାନ କରି ଚାଲୁ ରଖାଯାଉ ବୋଲି ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନ ତରଫରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ଇମେଲ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ଆବାହକ ସଞ୍ଜୀବ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।