ହରଭଙ୍ଗା: ଓଡ଼ିଆଙ୍କ ବାରମାସରେ ତେର ପର୍ବ। ସେଇ ତେର ପର୍ବ ଭିତରୁ ଚୈତ୍ର ମାସରେ ହୋଇଥାଏ ଦଣ୍ଡଯାତ୍ରା। ନିଷ୍ଠା ଏବଂ କାଷ୍ଠାର ପର୍ବ ବୋଲି କୁହାଯାଏ। ଏବେ ସବୁଠି ଆରମ୍ଭ ହୋଇଯାଇଛି ଏହି ପବିତ୍ର ଦଣ୍ଡଯାତ୍ରା। ଶିବ ଓ ଶକ୍ତିଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟରେ ଗାଁ ଦାଣ୍ଡ ଭକ୍ତିମୟ ପରିବେଶରେ ଉଛୁଳି ପଡୁଛି। ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଶିବ ପାର୍ବତୀଙ୍କ ଦଣ୍ଡ ନୃତ୍ୟ।
ଏହି ମାସରେ ପ୍ରଭୁ ଶ୍ରୀରାମଙ୍କ ନବମୀ ପୂଜାର୍ଚ୍ଚନା ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ପ୍ରଭୁ ଶିବଙ୍କ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମାସରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡଯାତ୍ରା ପରମ୍ପରାକୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀଙ୍କୁ ସାଙ୍ଗ ନେଇ ମାନସିକଧାରୀ ଭକ୍ତମାନେ ଛତି, ଛତ୍ର, ବାନା, ଚାଉଁର ଘଂଟ, ମହୁରୀ ଢୋଲ ବାଦ୍ୟ ଦ୍ୱାରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇଥାନ୍ତି।
ଏ ସଂପର୍କରେ ପୁରପଲ୍ଲୀଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶିବଭକ୍ତମୟ ପରିବେଶ ଦେଖିବାକୁ ମିଳୁଛି। ଦଣ୍ଡଯାତ୍ରା ଚାଲିଥିବା ବେଳେ ଗାଁ ଏବେ ଉଛୁଳି ପଡ଼ୁଛି। ଦଣ୍ଡୁଆଙ୍କ ମଣି ଡାକରେ ପୁରା ପରିବେଶ ପ୍ରକମ୍ପିତ ହେଉଛି।ଏହି ଅବସରରେ ଏବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୈତ୍ର ଦଣ୍ଡ ଉଠିଥାଏ। ଏହି ଚୈତ୍ରଦଣ୍ଡ ବା ଝାମୁଯାତ୍ରା ୨୧, ୧୭ ଏବଂ ୧୩ ଦିନ ଧରି ନିଷ୍ଠା ଓ କାଷ୍ଟାର ସହ ପାଳନ କରାଯାଉଛି।
ଦଣ୍ଡୁଆଙ୍କ କହିବା ଅନୁଯାୟୀ ତେରଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିଶାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ। ଦଣ୍ଡ ଉଠିବାର ପରଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନି ହୋଇଥାଏ। ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜା କରି କଠିନ ସାଧନା କରିଥାନ୍ତି। ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।
ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ। ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକର ବହୁ ପୁରାତନ ହରଭଙ୍ଗା, କୁସଙ୍ଗ, ତିଲେଶ୍ୱର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି, ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ରପୁର ଆଦି ଗାଁରେ ଆରମ୍ଭ ହୋଇ ଯାଇଛି ଯାତ୍ରା। ଗାଁ ଏବେ ଭକ୍ତିମୟ ପରିବେଶ ଭିତରେ ରହିଥିବା ବେଳେ ଆମିଷ ଭକ୍ଷଣ ନିଷିଦ୍ଧ ରହିଛି।