ବରୀ: ବ୍ରାହ୍ମଣୀ ନଦୀ ଉପରେ ସାରଙ୍ଗପୁର ନିକଟରେ ବାଇଁଶିରିଆ ସାରଙ୍ଗପୁର ସେତୁ ନିର୍ମାଣ ଚାଲିଛି । ୧୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ସେତୁ ନିର୍ମାଣ କାମ ଦେଖିବାକୁ କିମ୍ବା ମାନ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ମଧ୍ୟ ରହୁନାହାଁନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ସେତୁର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଜଣାପଡିଛି । ସେତୁ ନିର୍ମାଣରେ ଢଳାଇରେ ମୋଟା ବାଲି ବ୍ୟବହାର କରିବାକୁ ଏଷ୍ଟିମେଟ୍ରେ ବ୍ୟବସ୍ଥା ରଖାଯାଇ ରୁଢିଆ ନଦୀରୁ ବାଲି ଆଣିବାକୁ ପ୍ରାବଧାନ ଥିଲାବେଳେ ସେହି ଅନୁସାରେ ମୂଲ୍ୟ ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ନିମାଣକାରୀ ସଂସ୍ଥା ନିର୍ମାଣ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଟ୍ରିପ୍ ରୁଢିଆ ମୋଟା ବାଲି ନିର୍ମାଣ ସ୍ଥଳକୁ ଆଣି ନଥିବା ଜଣାପଡିଛି ।
ସେହି ବ୍ରାହ୍ମଣୀ ନଦୀରେ ଥିବା ଧୁଧୁ ପତଳା ବାଲିକୁ ଢଳାଇରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବାଲିହିତ ଯେଉଁ ବଜୁରି ମିଶାଯାଉଛି ତାହା ମଧ୍ୟ ନଦୀପଠାରେ ପଡି ମାଟିଆ ଦେଖାଯାଉଛି । ସେତୁର ମୂଳାଧାର ପିଲର ହୋଇଥିବା ବେଳେ ଏଥିରେ ପିଲର ଢଳାଇରେ ବ୍ୟବହାର କରାଯାଉଥିବା ପତଳା ବାଲି ଢଳାଇକୁ କେତେ ସ୍ଥାୟୀତ୍ୱ ଦେବ ତାକୁ ନେଇ ଉଠିଛି ପ୍ରଶ୍ନ । ଅପରପକ୍ଷରେ ଢଳାଇ ପଡୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନ ରହିବା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ଯେ ପିଲର ଢଳାଇ ପଡୁଥିବାର ସୂଚନା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ନିକଟରେ ନଥିବା ।
ଏ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବିନୋଦ ଶିଅଳଙ୍କୁ ପଚାରିବାରୁ କହନ୍ତି ଯେ ଆଜି ଢଳାଇ ପଡୁଥିବା ଖବର ତାଙ୍କ ପାଖରେ ନାହିଁ । ଢଳାଇରେ ରୁଢିଆ ନଦୀର ମୋଟାବାଲି ବ୍ୟବହାର କରିବାକୁ ଏଷ୍ଟିମେଟରେ ରଖାଯାଇଥିବା ସୂଚନା ଦେଇଥିଲା ବେଳେ ବ୍ରାହ୍ମଣୀ ନଦୀର ପତଳା ବାଲି କିପରି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନର ଉତର ଦେବାକୁ ଥମଥମ ହୋଇ ପଚାରି ବୁଝୁଛି ବୋଲି କହି ଫୋନ କାଟି ଦେଇଥିଲେ । ତୁରନ୍ତ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।