ଆସୁଛନ୍ତି କେନ୍ଦ୍ର ରେଳ, ଦୂରସଂଚାର ଓ ସୁଚନା ପ୍ରଯୁକ୍ତିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୂବନେଶ୍ୱର, କଟକ, ବାଲେଶ୍ୱର ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଦୁଇ ଦିନିଆ ଗସ୍ତରେ ଆସନ୍ତା କାଲି ଓଡିଶା ଆସୁଛନ୍ତି କେନ୍ଦ୍ର ରେଳ, ଦୁରସଂଚାର ଏବଂ ସଂଚାର ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତା କାଲି ସଂଧ୍ୟାରେ ଭୂବନେଶ୍ୱରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ଗ୍ରାମାଂଚଳରେ ୩୯୩୩ଟି ମୋବାଇଲ ଟାୱାର ଏବଂ ୨୦୭ଟି ନୂତନ ପୋଷ୍ଟ ଅଫିସର ଶୁଭ ଉଦଘାଟନ କରିବେ । ଏହା ପରେ ଶ୍ରୀ ବୈଷ୍ଣବ ଭିଡିଓ କନଫରେନ୍ସ ଜରିଆରେ ତପସ୍ୱିନୀ ଏକ୍ସପ୍ରେସ ଓ ରାଜଧାନୀ ଏକ୍ସପ୍ରେସର ସଂଯୋଗୀକରଣର ଶୁଭାରମ୍ଭ କରିବେ ।

କେନ୍ଦ୍ରମନ୍ତ୍ରୀଶ୍ରୀ ବୈଷ୍ଣବ ଆସନ୍ତା ୭ ତାରିଖ ଦିନ ସକାଳେ କଟକଚଣ୍ଡିମନ୍ଦିର ଯାଇ ମାଁଙ୍କୁ ଦର୍ଶନ କରିବା ପରେ କଟକଠାରେ ଏକ ନୂତନ ମୋବାଇଲ ହେଲ୍‌ଥ ୟୁନିଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । କଟକ ରେଳଷ୍ଟେସନର ପରିଦର୍ଶନ ଏବଂ ଦ୍ୱିତୀୟ ପ୍ରବେଶ ଦ୍ୱାରର ଶୁଭ ଉଦଘାଟନ କରିବା ପରେ ଶ୍ରୀ ବୈଷ୍ଣବ ବାଲେଶ୍ୱର ଗସ୍ତ କରିବେ ।

ବାଲେଶ୍ୱରଠାରେ ବାଲେଶ୍ୱର-ଭୂବନେଶ୍ୱର ପ୍ରଥମ ମେମୁ ପାସେଞ୍ଜର ଟ୍ରେନ ଯାତ୍ରାର ସୁଭାରମ୍ଭ କରିବା ପରେ ନିଳଗିରି ଯାଇ ବାଲେଶ୍ୱର-ନିଳଗିରି ରେଳପଥର ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ । କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବସ୍ତା ଗସ୍ତ କରି ରେଳଷ୍ଟେସନର ଉନ୍ନତୀକରଣ ଏବଂ ଭଦ୍ରକ-ଖଡଗପୁର ତୃତୀୟ ରେଳଲାଇନ କାର୍ଯ୍ୟର ତଦାରଖ କରିବେ । ଜଳେଶ୍ୱର ରେଳଷ୍ଟେସନର ନୂତନ ବିଲ୍ଡିଂ ଉଦଘାଟନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୂବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।