ନୂଆଦିଲ୍ଲୀ: ଦିବାଲୋକରେ ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତା ଉପରେ ଜଣେ ଯୁବକକୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି କିଛି ପୁଲିସ ପୋଷାକ ପିନ୍ଧା ବଦମାସ । ରକ୍ତମୁଖା ଯୁବକମାନଙ୍କ ହାତରେ ଥିଲା ଲୁହାରଡ୍ ଓ ଠେଙ୍ଗା । ବାଳୁଙ୍ଗା ଯୁବକମାନେ ପୁଲିସ ପୋଷାକ ପିନ୍ଧିଥିବାରୁ ଉପସ୍ଥିତ ଲୋକମାନେ ପାଟି ଫିଟାଇବାକୁ ସାହସ କରି ନଥିଲେ ।
ଦେଖଣାହାରୀଙ୍କ ମୁହଁରେ ଗୋଟିଏ ପ୍ରଶ୍ନ: ଏମାନେ ସତସତିକା ପୁଲିସ ନା ଆଉ କେହି? ଦୁଷ୍ଟ ଲୋକମାନେ ପୁଲିସ ପୋଷାକ ପିନ୍ଧି ଏପରି ହମଲା କରୁଥିଲେ, ପୁଲିସ ବିଭାଗ ଆଗରୁ ସତର୍କ ରହିବା ଜରୁରୀ ।
ମାଡ଼ ଖାଇଥିବା ଯୁବକଙ୍କ ନାମ ସଚିନ । ସେ ତାଙ୍କର ଛତରପୁର ବାସଭବନରୁ କାର ଚଳାଇ ମଙ୍ଗଳାପୁରୀକୁ ଯାଉଥିଲେ । ବାଟରେ ତାଙ୍କ କାରଟି ଆଗରେ ଯାଉଥିବା କାରକୁ ସାମାନ୍ୟ ଧକ୍କା ଦେଇଥିଲା । ବାସ୍, ଆଗରେ ଯାଉଥିବା ଗାଡ଼ିଟି ଅଟକି ଯାଇଥିଲା । ଗାଡ଼ିରୁ ବାହାରି ଆସିଥିଲେ କିଛି ଯୁବକ, ସେମାନଙ୍କ ହାତରେ ଥିଲା ଲୁହାରଡ୍ ଓ ଠେଙ୍ଗା । ସେମାନେ ଆସି ସିଧା ସଚିନଙ୍କୁ ଗାଡ଼ି ଭିତରୁ ଟାଣିନେଲେ । ମାଡ଼ ମାରିବା ଆରମ୍ଭ କରିଦେଲେ । ମାଡ଼ ମାରୁଥିବା ଲୋକଙ୍କ ସାଙ୍ଗରେ ସାମିଲ ହୋଇ ଯାଇଥିଲେ ଆହୁରି କିଛି ବାଇକ ଆରୋହୀ ।