ଜାତିଆଣ ଆକ୍ଷେପ ଛାଡ଼ି ପାରୁନାହାନ୍ତି କିଛି କୁଣ୍ଡାଖିଆ ଶିକ୍ଷିତ
ସଂପୃକ୍ତ ଛାତ୍ରୀଙ୍କୁ ହଷ୍ଟେଲ ପରିଚାରିକାଙ୍କର ‘ଡାଳପତ୍ର ଖାଇ ଜଙ୍ଗଲରେ ରୁହ’ ଉକ୍ତିଟି ବାଧିଛି….
ଚିତ୍ରକୋଣ୍ଡା: ଶିକ୍ଷାନୁଷ୍ଠାନରେ ଜାତିଆଣ ଆକ୍ଷେପ କରାଯିବା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ । ରାଜ୍ୟର ଆଦିବାସୀ ମହଲ ଏହାର ତୀବ୍ର ପ୍ରତିବାଦ କରିବା ଦରକାର । ବଣଜଙ୍ଗଲରେ ରହିବା କ’ଣ ଖରାପ । ଆମ ଜନଜାତି ଭାଇଭଉଣୀ ପ୍ରକୃତି କୋଳରେ ରହିଲେ ହୀନ ଚିନ୍ତାଧାରା ବିଶିଷ୍ଟ ଶିକ୍ଷିତ ମହଲକୁ ବାଧୁଛି କ’ଣ ପାଇଁ? ସ୍ୱାଧୀନତାର ୭୫ ବର୍ଷ ଅତିକ୍ରମ ପରେ ମଧ୍ୟ ଲୋକଙ୍କ ମାନସିକତା ବଦଳୁନାହିଁ, ଆଜି ମଧ୍ୟ ବଣଜଙ୍ଗଲରେ ବସବାସ କରୁଥିବା ଜନଜାତି ଭାଇଭଉଣୀଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଛି ।
ଜଣେ ଜନଜାତି ଭଉଣୀ ଆମ ରାଷ୍ଟ୍ରପତି ହୋଇଛନ୍ତି, ତଥାପି ସାଧାରଣ ବର୍ଗର ଲୋକଙ୍କ ମନରେ ଏଭଳି କୁତ୍ସିତ ଭାବନା । ଏଇ କ’ଣ ଆମ ଉଚ୍ଚଶିକ୍ଷାର ମାପକାଠି । ଜାତିଆଣ ଆକ୍ଷେପ ସହି ନପାରି ଚିତ୍ରକୁଣ୍ଡା ଅନ୍ତର୍ଗତ ଏସ୍ଏସ୍ଡି ବାଳିକା ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସଂପୃକ୍ତ ଛାତ୍ରୀଙ୍କୁ ହଷ୍ଟେଲ ପରିଚାରିକାଙ୍କର ‘ଡାଳପତ୍ର ଖାଇ ଜଙ୍ଗଲରେ ରୁହ’ ଉକ୍ତିଟି ବାଧିଛି । ଆବାସିକ ବିଦ୍ୟାଳୟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକଲେ, ପରିଣତି ଭୟଙ୍କର ହେବ ବୋଲି ରାଜ୍ୟ ଜନଜାତି ଅଧିକାର ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବାଳିକାଟି ତାଙ୍କ ବାପାଙ୍କ ସହିତ ଘରକୁ ଯିବାକୁ ଅନୁମତି ମାଗିଥିଲେ । ଅନୁମତି ଦେବା ବଦଳରେ ପରିଚାରିକା ଜଣକ ବାଳିକାଙ୍କ ବାପାଙ୍କୁ ଅପମାନିତ କରିଥିଲେ । ବାପାଙ୍କ ପ୍ରତି ଅପମାନ ସହି ନପାରି ଛାତ୍ରୀ ଜଣକ ଚରମ ପଦକ୍ଷେପ ଗ୍ରହଣ କରିଥିଲେ ।