ଆସନ୍ତା ୧୮ରେ ରାଜ୍ୟରେ ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଆଉ ଏକ ଲଘୁଚାପ ଆସନ୍ତା ୧୮ ତାରିଖରୁ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଆସନ୍ତା ୧୦ ତାରିଖ ପରେ ଏହା ହେବ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ । ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ପ୍ରଥମେ ଶୁକ୍ରାବାର ଏକ ଲଘୁଚାପ ବଳୟ ହେବ । ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୧ରୁ ୧୩ ତାରିଖ ଭିତରେ ପ୍ରବଳ ବର୍ଷା ହୋଇପାରେ । ଆଗକୁ ବର୍ଷା ହେବାର ଥିବାରୁ ଖାଲି ପଡ଼ିଥିବା ଢିପ ଜମିରେ ପାଗ ଦେଖି ବର୍ତ୍ତମାନଠାରୁ ପ୍ରାକ୍‌ ରବି ଅଣ ଧାନ ଫସଲ ବୁଣାବୁଣି ଆରମ୍ଭ କରିବାକୁ ପ୍ରଫେସର ପଶୁପାଳନ ପରାମର୍ଶ ଦେଇଛନ୍ତି।

ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ୧୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୧୧ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୨ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
ସେହିଭଳି ଗଜପତି, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ୧୩ରେ କିଛି ଆଭ୍ୟନ୍ତରୀଣ ଓଡ଼ିଶା ଓ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଛି ।