ଭୁବନେଶ୍ୱର: ଓଡ଼ିଶାରେ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଅଭିଜ୍ଞ ଡାକ୍ତରଙ୍କ ଅଭାବ ରହିଛି । ନନ୍ଦନକାନନ ଓ ଅଭୟାରଣ୍ୟରେ ରହୁଥିବା ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁ ସମ୍ପର୍କିତ ତଥ୍ୟରୁ ତାହା ଅନୁମାନ କରାଯାଉଛି । ରାଜ୍ୟ ସରକାର ମଣିଷଙ୍କ ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲୁଛନ୍ତି । ମାତ୍ର ରାଜ୍ୟର ପ୍ରତି ଜିଲ୍ଲାରେ ପଶୁପକ୍ଷୀଙ୍କ ପାଇଁ ମେଡିକାଲ କଲେଜ ଖୋଲୁନାହାନ୍ତି । ତା’ର କାରଣ କ’ଣ ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶାରେ ଭେଟେରିନାରୀ ଡାକ୍ତରଙ୍କ ଚାହିଦା ନାହିଁ । ଏଇୟା ବୁଝିବାକୁ ପଡିବ ଯେ ଓଡ଼ିଶାରେ ପଶୁପକ୍ଷୀମାନଙ୍କୁ ରୋଗ ସଂକ୍ରମଣ କରୁନାହିଁ । ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶା ସରକାରଙ୍କ ପଶୁ ସମ୍ପଦ ବିଭାଗ ନାମକୁ ମାତ୍ର ରହିଛି କିଛି ସରକାରୀ କର୍ମଚାରୀଙ୍କୁ ପେଟକୁ ଦାନା ଯୋଗାଇବା ପାଇଁ ।
ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି, ଆମ ରାଜ୍ୟର ବଣଜଙ୍ଗଲରେ ସ୍ୱାଧିନ ଭାବେ ବିଚରଣ କରୁଥିବା ହାତୀ, ହେଟା, ଚିତାବାଘ ଭଳି ବନ୍ୟପ୍ରାଣୀଗୁଡ଼ିକ ବିଭିନ୍ନ କାରଣରୁ କ୍ଷତାକ୍ତ ହୋଇ ଠିକଣା ସମୟରେ ଚିକିତ୍ସା ସେବା ନପାଇ ଅକାଳରେ ମରିଯାଉଛନ୍ତି । ଆମ ଗହଣରେ ରହୁଥିବା ହାତୀ, ଚିତାବାଘକୁ ହରାଇବା ପରେ ଆମ ସରକାର ଅନ୍ୟ ରାଜ୍ୟ ବା ବିଦେଶରୁ ହାତୀ ଓ ଚିତାବାଘକୁ କିଣି ଆଣି ଆମ ଜଙ୍ଗଲରେ ଛାଡ଼ି ବାହାଦୁରି ନେଉଛନ୍ତି ।
ନଭେମ୍ବର ୧୮ ତାରିଖରେ ଦୈନିକ ସମ୍ବାଦ ରେ ପ୍ରକାଶିତ ତଥ୍ୟ ଅନୁସାରେ ବିଗତ ୬ ବର୍ଷ ଭିତରେ କେବଳ ସାତକୋଶିଆରେ ୨୯ଟି ହାତୀ ମରିଛନ୍ତି । ୨୯ଟି ହାତୀ ଭିତରୁ ୧୯ଟି ରୋଗରେ ପୀଡ଼ିତ ହୋଇ ମରିଛନ୍ତି । ସରକାରୀ ନଥିପତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ ୨୦୧୮ ମସିହାରେ ଦୁଇଟି, ୨୦୧୯ ମସିହାରେ ତିନୋଟି, ୨୦୨୦ ମସିହାରେ ତିନୋଟି, ୨୦୨୧ରେ ଦୁଇଟି, ୨୦୨୨ରେ ଚାରୋଟି, ୨୦୨୩ରେ ତିନୋଟି ଓ ୨୦୨୪ ଜୁଲାଇ ସୁଦ୍ଧା ଦୁଇଟି ହାତୀ ମରିଛନ୍ତି । ସେମାନଙ୍କ ଭିତରୁ ୧୧ଟି ମାଈ ହାତୀ, ୬ଟି ଅଣ୍ଡିରା ହାତୀ ଓ ୨ଟି ଛୁଆ ହାତୀ ।
ସାତକୋଶିଆ ଅଭୟାରଣ୍ୟର ପ୍ରାକୃତିକ ପରିବେଶ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପ୍ରତି କେତେଦୂର ଉପଯୋଗୀ, ସେ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଠୋସ୍ ସୂଚନା ନାହିଁ । ଜଙ୍ଗଲରେ ଏଭଳି କି ଭୂତାଣୁଙ୍କ ସଂଖ୍ୟା ବଢ଼ିଚାଲିଛି ଯେ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲାଣି । ସେ ବିଷୟରେ ଆମ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଅଜ୍ଞ ।
ବନ୍ୟପ୍ରାଣୀଙ୍କ କଥା ଛାଡ଼ନ୍ତୁ । ଆମ ଗହଣରେ ରହୁଥିବା କୁକୁର ବିଲେଇ କୁକୁଡ଼ା ବତକ ଗାଈଗୋରୁ ଛେଳି ମେଣ୍ଢାଙ୍କ ଚିକିତ୍ସା ପାଇଁ ମଧ୍ୟ ଆମ ରାଜ୍ୟରେ ଅଭିଜ୍ଞ ଡାକ୍ତର ନାହାନ୍ତି । ଯୋଉ କିଛି ପଶୁ ଡାକ୍ତର ଅଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଡାକ୍ତର ପ୍ରକୃତ ରୋଗ ଚିହ୍ନି ପାରୁନାହାନ୍ତି । ପଶୁପକ୍ଷୀଙ୍କ ପାଟି ଫିଟୁ ନଥିବାରୁ ସେମାନଙ୍କୁ ଦିଆଯାଉଥିବା ଔଷଧର ପ୍ରତିକ୍ରିୟା ଅବା ପାଶ୍ୱ ପ୍ରତିକ୍ରିୟା ହଠାତ୍ ଜାଣି ହେଉନି । ଜାଣିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ଚାଲିଯାଉଛି ।
ଆମ ନନ୍ଦନକାନନରେ ରଖା ଯାଇଥିବା ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ବେଶ ଉଦ୍ବେଗଜନକ । ଅଭିଜ୍ଞ ଡାକ୍ତରଙ୍କ ଅଭାବରୁ ନନ୍ଦନକାନନରେ ବହୁ ପଶୁପକ୍ଷୀ ମରଣମୁଖରେ ପଡୁଛନ୍ତି ।
ରାଜ୍ୟରେ ଆଉ ଚାରୋଟି ଭେଟେରିନାରୀ ମେଡିକାଲ କଲେଜରେ ଆବଶ୍ୟକତା ରହିଛି ବୋଲି ଆମ ସରକାର କେବେ ବୁଝିବେ? ସେହି ଉଚିତ ସମୟକୁ ଅପେକ୍ଷା କରି ରହିବା ଛଡ଼ା ଆମ ପାଖରେ ବିକଳ୍ପ ନାହିଁ ।