ଲକ୍‌ଡାଉନ୍ ପାଇଁ ରାଜଧାନୀରେ ହେବ ୫୩ ଚେକ୍‌ପୋଷ୍ଟ

ଭୁବନେଶ୍ବର(ଏସ୍ ନ୍ୟୁଜ): ରାଜଧାନୀରେ କମିସନରେଟ ପୁଲିସ ପକ୍ଷରୁ ଲକ୍‌ଡାଉନ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନାଇଟ୍ କର୍ଫ୍ୟୁ ପାଇଁ ୨୩ଟି ଜାଗାରେ ଚେକ୍‌ପୋଷ୍ଟ କରା ଯାଇଥିବା ବେଳେ ଲକ୍‌ଡାଉନ ସମୟରେ ଏହି ସଂଖ୍ୟା ବଢ଼ାଇ ୫୩ଟି କରାଯିବ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ୨୫ଟି ସ୍ଥାୟୀ ଚେକ୍‌ପୋଷ୍ଟ କରାଯାଇଛି। ରାସ୍ତାର ଗୋଟିଏ ପାର୍ଶ୍ବକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଅନ୍ୟ ପାର୍ଶ୍ବଟି ବାରିକେଡ୍ ଲଗାଯିବ। କେବଳ ଆମ୍ବୁଲାନ୍ସ ଯାତାୟାତ କରିବ ବୋଲି ସୂଚନା ମିଳିଛି। ପଟିଆ, ରାଜଭବନରୁ ଗୋପବନ୍ଧୁ ଛକ, ଜୟଦେବବିହାରରୁ ଶାସ୍ତ୍ରୀନଗର, ଆଚାର୍ଯ୍ୟବିହାରରୁ ସଚିବାଳୟ ମାର୍ଗ ଆଦି ରାସ୍ତାରେ ଏହି ନାକା ଲଗାଯିବ।

ପୂରା ବ୍ୟବସ୍ଥାରେ ଟ୍ରାଫିକ ଓ ପୁଲିସ ପକ୍ଷରୁ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ୧୩୫ ଜଣ ଅଫିସର ନିୟୋଜିତ ହେବେ। ୩୫ଟି ପିସିଆର ଭ୍ୟାନ୍ ପାଟ୍ରୋଲିଂ କରିବେ। ଯାହା ପୁଲିସ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗାରେ ରହିବ। ୨୨ଟି ଥାନା ଅଞ୍ଚଳରେ କୁଇକ୍ ରିଆକ୍ସନ ଟିମ୍(କ୍ୟୁଆରଟି) ଗାଡ଼ି ରହିବ। ସେହି ଥାନା ଅଞ୍ଚଳରେ ଥିବା ବଜାରରେ ଖୋଲା ରହୁଥିବା ଦୋକାନ ଉପରେ ଏମାନେ ନଜର ରଖିବେ। ଯଦି କେହି ଆଇନ ଉଲ୍ଲଂଘନ କରୁଥିବା ନଜରକୁ ଆସେ ଏହି ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।