ମୋହନା: ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିଲା ଆଧାର କାର୍ଡ । ହେଲେ ପୋଷ୍ଟମାଷ୍ଟର ଏହି ଆଧାର କାର୍ଡକୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ମାଟି ତଳେ ପୋତି ଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ । ଅଭିଯୋଗ ଅନୁସାରେ, ଗାଁର କିଛି ଲୋକ ଆଧାର କାର୍ଡ ପାଇଁ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିଥିଲେ । ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସକୁ ଆସିଥିଲା । ହେଲେ ପୋଷ୍ଟ ମାଷ୍ଟର ପର୍ଶୁଧର ସେହି ସବୁ ଆଧାର କାର୍ଡ ଲୋକଙ୍କୁ ଦେଇ ନଥିଲେ । ଏହାକୁ ମାଟିତଳେ ପୋତି ଦେବା ସହ ବହୁ ଜଣଙ୍କ ଆଧର କାର୍ଡକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ । ଅଳିଆ ଗଦାରେ କିଛି ଆଧାର କାର୍ଡ ପଡ଼ିଥିବା ଜଣେ ଗ୍ରାମବାସୀ ଦେଖିଥିଲେ । ଏନେଇ ତାଙ୍କ ସନ୍ଦେହ ହୋଇଥିଲା ।
ଏହି ଘଟଣା ବିଷୟରେ ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ ମାଟି ଖୋଳିଲା ପରେ ହଜାର ହଜାର ଆଧାର କାର୍ଡ ମାଟିତଳୁ ବାହାରିଥିଲା । ବର୍ଷ ବର୍ଷ ଧରି ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡ ପୋଷ୍ଟ ଅଫିସକୁ ଆସୁଥିଲେ ମଧ୍ୟ ଲୋକଙ୍କୁ ନ ଦେଇ ଏଭଳି ନଷ୍ଟ କରି ଦେଉଛନ୍ତି । ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।