ଶପଥ ନେଲେ ତିନି ନୂଆ ଓଡ଼ିଶା ହାଇକୋର୍ଟ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଭି.ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ। ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି।

ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀ ୧୯୬୭, ଜାନୁଆରି ୧୯ରେ ଜନ୍ମିତ ଜଷ୍ଟିସ ନରସିଂହ ଭୁବନେଶ୍ବର ୟୁନିଟ-୧ ବୟେଜ ହାଇସ୍କୁଲରୁ ମାଟ୍ରିକ୍, ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଓ ଏମ.ଏସ.ଲ କଲେଜରୁ ଆଇନରେ ‌ଏଲଏଲ.ଏମ୍ ପାସ୍ କରିଥିଲେ। ସେ ଏମ.ଏସ. ଲ କଲେଜରେ ସାମୟିକ ଭାବେ ଅଧ୍ୟାପନା ମଧ୍ୟ କରୁଥିଲେ। ୧୯୮୯ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ, ଷ୍ଟାଣ୍ଡିଂ କାଉନସିଲ, ଏଜିଏ ଭାବେ ନିଯୁକ୍ତି ପାଇଥିଲେ।

ଜଷ୍ଟିସ ଏ.ଏସ.ନାଇଡୁ ତଦନ୍ତ କମିସନରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଥିଲା। ବହୁ ସରକାରୀ ଅନୁଷ୍ଠାନ ସହିତ ସାଧାରଣ ବୀମା କମ୍ପାନି, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏନଏଚଏଆଇ ପାଇଁ ସେ ମାମଲା ପରିଚାଳନା କରୁଥିଲେ।

ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ୧୯୮୧ରେ ତିର୍ତ୍ତୋଲ ହାଇସ୍କୁଲରୁ ମାଟ୍ରିକ୍ ପାସ କରିଥିଲେ। ସେ ରେଭେନ୍ସାରୁ ଆଇ.କମ୍, ବି.କମ୍ (ସମ୍ମାନ) ଓ ଏମ୍.କମ୍ ପାସ୍ କରିବା ପରେ ଏମ.ଏସ.ଲ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୩ରେ ଆଇନଜୀବୀ ଭାବେ ସେ ହାଇକୋର୍ଟରେ ଯୋଗ ଦେଇଥିଲେ।

ଜଷ୍ଟିସ ମୁରାହରି ଶ୍ରୀ ରମଣ ୧୯୭୦ ଜୁନ୍ ୮ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୭ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ବାଣିଜ୍ୟକର ବିଭାଗର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ୨୦୦୯ରେ ନିଯୁକ୍ତି ପାଇଥିଲେ। ବାଣିଜ୍ୟକର ଆଇନ ସଂପର୍କିତ ପୁସ୍ତକ ସଂକଳନ କ୍ଷେତ୍ରରେ ସେ ଏମ.ଆର.ଭି.ରାଓଙ୍କୁ ସହାୟତା କରିଥିଲେ। ସାମ୍ବିଧାନିକ ଓ କର ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ସେ ସୁନାମ ଅର୍ଜନ କରିଛନ୍ତି।