ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି ଅଖିଳ କୁମାର ମିଶ୍ର
ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ‘ …..
କୋରାପୁଟ, :- ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘‘ଯୋଗାଯୋଗର ସମାଜଶାସ୍ତ୍ର’’ ଶୀର୍ଷକ ଆଲୋଚନା ଚକ୍ରକୁ ସେସମ୍ବୋଧିତ କରିଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ, ଡିଜିଟାଲ ଯୁଗରେ ନୀତି ପ୍ରଣୟନ ଏବଂ ଜନସଚେତନତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସମାବେଶୀଜାତୀୟ ବିକାଶରେ ଯୋଗଦାନ ଦେବା ପାଇଁ ସରକାରୀ ଯୋଜନା ଏବଂ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚାଇବାଲାଗି ପ୍ରଭାବଶାଳୀ ଯୋଗାଯୋଗ ଉପକରଣ ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ସେ ନାଗରିକ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ତଥା ସମ୍ପ୍ରଦାୟ-ଆଧାରିତ ଯୋଗାଯୋଗ ପଦ୍ଧତିର ବ୍ୟବହାର ସମେତ ଅଭିନବ ପ୍ରସାର ରଣନୀତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତିନରସିଂହ ଚରଣ ପଣ୍ଡା, ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର କପିଲା ଖେମୁଣ୍ଡା, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ନିଖିଲ ଗୌଡ଼ା ଏବଂ ସହାୟକ ପ୍ରଫେସର ଡକ୍ଟର ସୌରଭ ଗୁପ୍ତାଙ୍କ ସମେତ ଅଧ୍ୟାପକ, ଗଣମାଧ୍ୟମ ପେସାଦାର ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ପଣ୍ଡା କହିଥିଲେ, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପଢ଼ୁଥିବା ଛାତ୍ରଛାତ୍ରୀ ସେମାନଙ୍କ ବୃତ୍ତିରେ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉଚିତ। ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଜନମତ ଗଠନ କରିବା ଏବଂ ସମାଜରେ ସଠିକ୍ ଓପ୍ରମାଣିକ ସୂଚନା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତଥ୍ୟ-ଭିତ୍ତିକ ରିପୋର୍ଟିଂକୁ ପ୍ରୋତ୍ସାହନ ଏବଂ ଭୁଲ ସୂଚନାକୁ ପ୍ରତିହତ କରି ସକାରାତ୍ମକ ପରିବର୍ତ୍ତନର ବାହକଭାବରେ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ। ‘‘ନୈତିକ ସାମ୍ବାଦିକତା କେବଳ ବିଶ୍ୱସନୀୟତା ପାଇଁ ନୁହେଁ ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଜରୁରୀ,’’ସେ ଆହୁରି ମଧ୍ୟ କହିଥିଲେ।
ଏହି ଆଲୋଚନାଚକ୍ରରେ ଅଧ୍ୟାପକ, ଗଣମାଧ୍ୟମ ପେସାଦାରଓ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂବିଭିନ୍ନ ଯୋଗାଯୋଗ ଅଭ୍ୟାସ, ସରକାରୀ ପ୍ରଚାରରେ ରହିଥିବା ସମସ୍ୟା ଏବଂ ବିକାଶର କାହାଣୀରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ।ଶେଷରେ ଏକମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣ କାରୀମାନେ ସାର୍ବଜନୀନ ସେବା ପ୍ରଦାନ ଏବଂ ସଚେତନତା ଅଭିଯାନକୁ ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ଉପକରଣ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।