ଆଜି ଫଗୁ ଦଶମୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ

ପୁରୀ ,(ସାକ୍‌ସୀ ନ୍ୟୁଜ୍‌) ୧୩।୦୩ : ଆଜି ଫଗୁ ଦଶମୀ । ଏହି ଦିନ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯାଏ । ଠାକୁର ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ସହିତ ଚାଚେରୀ ବେଶରେ ଶ୍ରୀବିଗ୍ରହ ବୋଇରାଣୀ(ବସ୍ତ୍ର) ମାଧାବଳୀ ଇତ୍ୟାଦି ନୂଆ ଲୁଗାମାନ ଲାଗି ହୋଇଥାଏ।

ଫଗୁ ଦଶମୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାଇଥାନ୍ତି। ସେଠାରେ ଫଗୁ ଲାଗି କରାଯିବ। ବିଶ୍ୱାସ ରହିଛି ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।

ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ସହିତ ଫଗୁ ଲାଗି କରାଯାଏ । ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି । ପ୍ରତିଦିନ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥାଏ ।