ଚଣ୍ଡିଖୋଲ: ଇଏ ସେଇ ହେଲିପ୍ୟାଡ୍ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହେଲିକପ୍ଟର ଉଡ଼ି ଆସିଥିଲା ଏକ ବଡ଼ ସମ୍ଭାବନାମୟ ସ୍ୱପ୍ନ ଦେଖାଇବାକୁ । ବଡ଼ଚଣା ବିଧାନସଭା ମଣ୍ଡଳୀର କିଛି ମୁଖ୍ୟ ଛକ ନିକଟରେ ବିଧାୟକ ଅମର ନାୟକଙ୍କ ସମ୍ଭାବନାମୟ ହୋର୍ଡିଂ ଦୃଷ୍ଟିରେ ପଡ଼ିଲା । ସାଙ୍ଗରେ ଥିବା ବନ୍ଧୁଜଣକ ଗୋଟିଏ ପଡ଼ିଆ ଆଡ଼କୁ ହାତ ଦେଖାଇ କହିଲେ, ‘ସାର, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଜୀ ଏଇ ଜାଗାରେ ତାଙ୍କର ଉଦ୍ବୋଧନ ଦେଇଥିଲେ ।’ ମୋଦିଜୀଙ୍କ ହେଲିକପ୍ଟର ପଡ଼ିଆର ସେଇ ସ୍ଥାନରେ ଅବତରଣ କରିଥିଲା । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଭାଷଣ ଶୁଣିଥିବା ସେହି ପଡ଼ିଆ ଉପରେ ନଜର ବୁଲାଇ ଆଣିଲି । ମନେମନେ କହିଲି, ତୋ ଜୀବନ ଧନ୍ୟ ହୋଇଗଲା ରେ ପଡ଼ିଆ । ୧୪୦ କୋଟି ଭାରତୀୟଙ୍କ ମଉଡ଼ମଣି ତୋ ଛାତିରେ ଠିଆ ହୋଇ ଯୋଉ ଭାଷଣ ଦେଇଥିବେ, ସେ ଭାଷଣ ଶୁଣିବା ପରେ ତୋ ପେଟ ପୁରି ଯାଇଥିବ । ତୋ କାନ ପବିତ୍ର ହୋଇ ଯାଇଥିବ ।
ବିକଶିତ ଭାରତର ମୂଳମନ୍ତ୍ର ସବ୍ କା ସାଥ୍ ସବ୍ କା ବିକାଶ । ମୋଦିଜୀଙ୍କ ଭାଷଣ ଶୁଣିବା ସମୟରେ ତୋ ମନ କୁରୁଳି ଉଠିଥିବ । ନିର୍ବାଚନ ପରେ ତୋ ଛାତିରେ ବିକାଶର ଛାପ ଲଗାଇ ଦିଆଯିବ । ତୁ ଆଉ ବିବର୍ଣ୍ଣ ବସୁଧା ଭଳି ଦିଶିବୁନି । ଏମିତି କେତେ ସପନ ଦେଖିଥିବୁ ।
ନିର୍ବାଚନ ସରିବା ପରଠାରୁ ମୋଦିଜୀ ଓଡ଼ିଶାକୁ ଚାରିଥର ଆସି ନୂଆଦିଲ୍ଲୀ ଫେରିଗଲେଣି । ସେଇ ଚାରିଥର ଭିତରେ ଥରୁଟିଏ ବି ତୁ ମୋଦିଜୀଙ୍କୁ ତୋ ଆଡକୁ ଟାଣି ଆଣି ପାରିଲୁନି ।
ନିର୍ବାଚନ ସଭା ପୂର୍ବରୁ ତୁ ଯୋଉ ଅଲୋଡ଼ା ଥିଲୁ । ମୋଦିଜୀଙ୍କ ପାଦଛାପ ପାଇବା ପରେ ବି ତୁ ସେଇ ଅଲୋଡ଼ା ହେଇ ରହିଗଲୁ । ଦେଖ, ମୋଦିଜୀଙ୍କ ପରଶ ପାଇ ରାଜ୍ୟର ଅଗାଡ଼ି ନେତାଗୁଡ଼ାକ ଆଜି ବିଧାନସଭାର ଗୋଟିଏ ଗୋଟିଏ ଆସନ ମାଡ଼ି ବସିଛନ୍ତି । ସଂସଦକୁ ହୁଲସ୍ତୁଲ କରି ପକାଉଛନ୍ତି । ହେଲେ ତୁ କିଛି ପାଇଲୁନି ।
ଚାରିଆଡ଼କୁ ଦୃଷ୍ଟି ବୁଲାଇ ଆଣିବା ଭିତରେ ବନ୍ଧୁଙ୍କ କଥାକୁ କାନରେ ପୁରାଉଥିଲି ।
ବନ୍ଧୁଜଣକ କହିଲେ, ବିଜୁବାବୁଙ୍କ ସୁପର୍ ଏକ୍ସପ୍ରେସକୁ ଆଠଲାଇନ୍ ବିଶିଷ୍ଟ ରାସ୍ତାରେ ବିକଶିତ କରାଯାଉଛି । ମାତ୍ର ରାସ୍ତାକଡ଼ରେ ଉପେକ୍ଷିତ ଭାବେ ପଡ଼ିଥିବା ସେଇ ପଡ଼ିଆଟି ଆଜି ବି ବିକଶିତ ଭାରତକୁ ଅପେକ୍ଷା କରିଛି ।