ବିଧାନସଭା ପାଇଁ ଲାଗୁ ହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର(ଏସ୍ ନ୍ୟୁଜ‌): ବିଧାନସଭା ଅଧିବେଶନ ବେଳେ ଆତ୍ମଦାହ ଉଦ୍ୟମ ଘଟଣାକୁ ଦୃଷ୍ଟି ରେ ରଖି କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଆଜିଠୁ ବିଧାନସଭା ଅଧିବେଶନର କାର୍ଯ୍ୟଦିବସଗୁଡ଼ିକରେ ଏହି କଟକଣା ଲାଗୁ ହେବ।

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଜାରି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ହାଉସିଂ ବୋର୍ଡ ପଟୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜଠାରୁ ଆଗକୁ ନଯାଇ ବାମପଟ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବ। ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନରେ ଅଟକି ଡାହାଣକୁ ଯାଇ ଇନ୍ଦିରା ଗାନ୍ଧି ପାର୍କ ରାସ୍ତାରେ ଆଗକୁ ଯିବ।ମାଷ୍ଟର କ୍ୟାଣ୍ଟିନ ପଟୁ ଲୋଏର ପିଏମଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଉପର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ  ଦେଇ ଯାଇପାରିବେ। ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ପାୱାର ହାଉସ ଛକ ଆଡ଼କୁ ଯିବ। ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।