ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍‌ ଡ୍ରାଇଭ୍‌ ଟେଷ୍ଟ ସମ୍ପାଦନ

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍‌ ଡ୍ରାଇଭ୍‌ ଟେଷ୍ଟ ସମ୍ପାଦନ କରାଯାଇଛି ।

ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା ଏହି ପରୀକ୍ଷଣରେ ବିଏସଏନଏଲ, ଏୟାରଟେଲ, ଜିଓ, ଭୋଡ଼ାଫୋନ ଆଇଡିଆ ଭଳି ଦୂରସଞ୍ଚାର ସେବା ପ୍ରଦାନକାରୀ ସହଯୋଗ କରିଥିଲେ । ପରୀକ୍ଷଣ ପରେ ରିପୋର୍ଟ ମଧ୍ୟ ଜାରି କରାଯାଇଛି ।

ପରୀକ୍ଷଣ ସମୟରେ ଭଏସ କଲ୍‌ ଏବଂ ଇଣ୍ଟରନେଟ୍‌ ଡାଟା ସେବାର ବିଭିନ୍ନ ମାପଦଣ୍ଡ ପରୀକ୍ଷା କରାଯାଇଥିଲା । ଭଏସ୍‌ ସେବାରେ କଭରେଜ୍‌, କଲ ସେଟଅପ୍‌ ସଫଳତା ହାର, ଡ୍ରପ୍‌ କଲ୍‌ ହାର, ବ୍ଲକ୍‌ କଲ୍‌ ହାର, ହ୍ୟାଣ୍ଡଓଭର୍‌ ସଫଳତାର ହାର ଏବଂ ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା ।

ସେହିପରି ଡାଟା ସେବାରେ ଡାଉନଲୋଡ୍‌ ଓ ଅପଲୋଡ୍‌ ଥ୍ରୁପୁଟ୍‌, ୱେବବ୍ରାଉଜିଂ ବିଳମ୍ବ, ଭିଡିଓ ଷ୍ଟ୍ରିମିଂ ବିଳମ୍ବ, ଲାଟେନ୍ସି ଆଦିର ଆକଳନ କରାଯାଇଥିଲା ।

ଟ୍ରାଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣର ବିସ୍ତୃତ ରିପୋର୍ଟ https://www.trai.gov.in/ରେ ଦିଆଯାଇଛି । ଏଭଳି ପରୀକ୍ଷଣ ଦୂରସଞ୍ଚାର ସେବାରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।