ମୃତ୍ୟୁ ଏମିତିବି ଆସେ..shaksi news

କଲ୍ୟାଣସିଂହପୁର( ଏସ୍ ନ୍ୟୁଜ ): ମୃତ୍ୟୁ କାହାକୁ କେବେ ଓ କିପରି ତାହା ଜାଣିବା ମୁସ୍କିଲ୍‌। ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଏଭଳି ଏକ ଅକାଳ ମୃତ୍ୟୁ ହୋଇଛି। ଏଠାରେ ଏକ ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ପରେ ଛିଡ଼ା ହୋଇଥିବା ୨ ଉଦ୍ଧାରକାରୀଙ୍କୁ ଏକ ଟ୍ରକ୍ ପିଟି ଦେବାରୁ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବେଶ ଚକ୍କୀତ କରିଦେଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଜଣ ଶ୍ରମିକ ଟ୍ରାକ୍ଟରରେ ଆନ୍ଧ୍ରର ଶ୍ରୀକାକୁଲମ ଯାଉଥିଲେ। ଆଉ ଟ୍ରାକ୍ଟରଟି କାଳିଆପଡ଼ା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକ ତା’ ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରି ଅନ୍ୟ ୨ ଶ୍ରମିକ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲ ପଠାଇଥିଲେ। ଏହାପରେ ସେମାନେ ସେଠାରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ଟ୍ରକ ସେମାନଙ୍କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଦୁଇ ମୃତକଙ୍କ ଘର ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ଟିକିରି ଥାନା ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛି।