ଭୁବନେଶ୍ୱର(ଏସ ନ୍ୟୁଜ ): ରାଜଧାନୀ ଭୁବନେଶ୍ୱରରେ ହେବ ଆଉ ୨ଟି ଶ୍ମଶାନ କରାଯିବ । ଏନେଇ କାମ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦେଢ଼ ମାସ ମଧ୍ୟରେ ଏହି ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଛି । ପଟିଆ ଓ ଖଣ୍ଡଗିରିଠାରେ ଏହି ଦୁଇଟି ଶ୍ମଶାନ କାର୍ଯ୍ୟ ଚାଲିଛି ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ଏକମାତ୍ର ଶ୍ମଶାନ ସତ୍ୟନଗର । ଯେଉଁଠି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କରୋନା ପଜେଟିଭଙ୍କ ଶବଦାହ କରାଯାଉଛି । ଏହାକୁ ନେଇ ପ୍ରତିଦିନ ବଢ଼ିଚାଲିଥିବା ଶବଦାହ ଯୋଗୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏପରିକି ସ୍ଥାନୀୟ ଅଂଚଳରେ କରୋନା ପଜେଟିଭ ସଂଖ୍ୟା ବଢାଇବାର ଏହା ଏକ ମୁଖ୍ୟ କାରଣ ବୋଲି ମଧ୍ୟ ଲୋକେ ଅଭିଯୋଗ ଆଣୁଛନ୍ତି । ଏନେଇ ସୋମବାର ସତ୍ୟନଗର ଲେଡିଜ୍ ଫୋରମ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ସହିତ ଶ୍ମଶାନକୁ ଆସୁଥିବା ଶବ ସଂଖ୍ୟା କମାଇବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା । ପରେ ସନ୍ଧ୍ୟାରେ ବିଏମ୍ସି କମିଶନର ଆଉ ଦୁଇଟି ଶ୍ମଶାନ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସତ୍ୟନଗର ଲେଡିଜ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ କହିଛନ୍ତି ଯେ ସତ୍ୟନଗରରେ ପ୍ରତିଦିନ ଏକାଧିକ ଶବଦାହ ହେଉଛି । ଫଳରେ ଏଠାକାର ପରିବେଶ ପ୍ରଦୁଷିତ ହେବା ସହିତ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ପ୍ରତିଦନ ଏଠାରେ ବହୁ ସଂଖ୍ୟକ ଲୋକ ରୁଣ୍ଡ ହେଉଥିବାରୁ ସମାମଜିକ ଦୂରତା ମଧ୍ୟ ରହୁନାହିଁ । ତେଣୁ ଏହି ଅଂଚଳରେ କୋଭିଡ୍ ବ୍ୟାପିବା ଭୟ ରହୁଛି । ଫଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଚିନ୍ତା ବଢ଼ିଯାଇଛି । ତେଣୁ ଏଠାକୁ ଆସୁଥିବା ଶବ ସଂଖ୍ୟା କମ୍ କରାଇବା ପାଇଁ ମାନବାଧିକାର କମିଶନ କିଛି ପଦକ୍ଷେପ ନିଅନ୍ତୁ ବୋଲି ଫୋରମ ପକ୍ଷରୁ ନିବେଦନ କରାଯାଇଛି ।

ମାନବାଧିକାର କମିଶନଙ୍କ ନିକଟରେ ଫୋରମର ଅଭିଯୋଗ ପରେ ବିଏମ୍ସି କମିଶନର କହିଛନ୍ତି ଯେ ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ବଢ଼ିଥିବାରୁ ସତ୍ୟନଗରରେ ଶବଦାହ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଯେହେତୁ ପୁରୀ ସର୍ଗଦ୍ୱାରକୁ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ ଶବଦାହ ବାରଣ କରାଯାଇଛି ସେଥିପାଇଁ ସମସ୍ତେ ସତ୍ୟନଗରକୁ ଆସୁଛନ୍ତି । ଏହା ବ୍ୟତୀତ କୋଭିଡ୍ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାନଯାଇ ସରକାର ଏହି ଶବଗୁଡ଼ିକର ସଂସ୍କାର କରୁଛନ୍ତି । କୋଭିଡ୍ରେ ପ୍ରାଣ ହରାଉଥିବା ଲୋକଙ୍କ ସହିତ କୋଭିଡ୍ ସନ୍ଦିଗ୍ଧମାନଙ୍କର ମଧ୍ୟ ଏଠାରେ ଶବଦାହ ହେଉଛି । ତେଣୁ ଏଠାରେ ଶବଦାହ ସଂଖ୍ୟା ବଢ଼ିଛି । ମାତ୍ର ସତ୍ୟନଗରରେ ବନ୍ଦଥିବା ବିଦ୍ୟୁତ ଚାଳିତ ଶବଦାହ ଚୁଲା ସୋମବାରଠାରୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ ଆଉ ସମସ୍ୟା ହେବନାହିଁ ।
ଏହି ସମସ୍ୟାର ଦୁରୀକରଣ ପାଇଁ ଭୁବନେଶ୍ୱରରେ ଅନ୍ୟ ଦୁଇଟି ସ୍ଥାନରେ ଶ୍ମଶାନ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯୋଜନା ରଖାଯାଇଥିବାରୁ ସତ୍ୟନଗରରେ ଶବଦାହ ସଂଖ୍ୟା କମିଯିବ ବୋଲି କମିଶନର ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ପଟିଆରେ ଗ୍ୟାସ୍ ଜରିଆରେ ଶବ ସଂସ୍କାର ବ୍ୟବସ୍ଥା କରାଯିବା ସିହିତ ଖଣ୍ଡଗିରିରେ କରାଯାଉଥିବା ଶ୍ମଶାନରେ ବିଦ୍ୟୁତ୍ ଚାଳିତ ଶବଦାହ ବ୍ୟବସ୍ଥା କରାଯିବ ।