ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ୨ ଜଣ ଦୁର୍ବୃତ୍ତ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି । ଆମେଣାକୁଦ ବାଙ୍କୁଆ କେନାଲ ବନ୍ଧରେ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀ ହେଲେ ନିମାପଡ଼ାସ୍ଥିତ ଫୁଲର୍ଟନ୍‌ ଇଣ୍ଡିଆ କ୍ରେଡିଟ୍‌ କମ୍ପାନିର ଶିବଶଙ୍କର ସ୍ୱାଇଁ । ଦୁଇ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ତାଙ୍କ ଠାରୁ ପ୍ରାୟ ୬୦ ହଜାର ଟଙ୍କା, ଟାବ୍‌ଲେଟ ଓ କାଗଜପତ୍ର ଥିବା ବ୍ୟାଗ୍‌ ନେଇ ଯାଇଛନ୍ତି । ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାଇ ଗତକାଲି ଶିବଶଙ୍କର ବିଭିନ୍ନ ମହିଳା ଗ୍ରୁପ୍‌ର ଟଙ୍କା ଆଦାୟ କରି ବାଇକ୍‌ ଯୋଗେ ନିମାପଡ଼ା ଫେରୁଥିଲେ । ଆମେଣାକୁଦ ନୂଆଗାଁ ରାସ୍ତାରେ ବାଙ୍କୁଆ କେନାଲ ବନ୍ଧ ଉପରେ ଏକ ନିଛାଟିଆ ସ୍ଥାନରେ କଳା ପଲ୍‌ସରରେ ୨ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବ୍ୟାଗ୍‌ ଦେବାକୁ ଧମକ ଦେଇଥିଲେ । କିନ୍ତୁ ସେ ବ୍ୟାଗ୍‌ ନଦେବାରୁ ବାଇକ୍‌ ପଛ ସିଟ୍‌ରେ ବସିଥିବା ଦୁର୍ବୃତ୍ତ ତାଙ୍କ ବାମ ହାତକୁ ଭୁଜାଲିରେ ଆକ୍ରମଣ କରିଥିଲା । । ଭୟଭୀତ ହୋଇ ଶିବ ବ୍ୟାଗ୍‌କୁ ଦୁର୍ବୃତ୍ତଙ୍କ ହାତକୁ ବଢ଼ାଇ ଦେଇଥିଲେ ।