ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର (ଏସ୍ ନ୍ଯୁଜ): ଏଣିକି ବାଇକ, ସ୍କୁଟର ଆଦି ଦୁଇଚକିଆ ଯାନର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ, ଗାଡ଼ି ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଟ୍ବିଟ୍ କରି ଏପରି ଚେତାବନୀ ଶୁଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ।

ଏହାକୁ ନେଇ ଏସଟିଏ ପକ୍ଷରୁ କରାଯାଇଥିବା ଟ୍ବିଟରେ କୁହାଯାଇଛି ଯେ ଦୟାକରି ହେଲମେଟ ପିନ୍ଧନ୍ତୁ ଓ ନିଜ ଜୀବନ ବଞ୍ଚାଇବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ।

ତେବେ ଗତ କାଲି ଆରଟିଓ କଟକ ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଥିଲା । କଟକ ଓଲଟପୁରଠାରେ ହୋଇଥିବା ଯାଞ୍ଚ ବେଳେ ୯୨ ଜଣ ବାଇକ ଚାଳକ ହେଲମେଟ ପିନ୍ଧି ନଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା ଓ ମୋଟ ୧ ଲକ୍ଷ ୩୪ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା ।ଏହାକୁ ନେଇ ପୁଣି ଥରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେଇଛନ୍ତି।