ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପେଟ୍ରୋରସାୟନ ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିପେଟ୍) ପରିଦର୍ଶନ କରିବା ସହିତ କେନ୍ଦ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରସାୟନ ଏବଂ ପେଟ୍ରୋରସାୟନ ବିଭାଗ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସିପେଟ ପରିସରରେ ଥିବା ପ୍ରୋସେସିଂ, ଟୁଲ୍ ରୁମ୍, ଗବେଷଣା ପରୀକ୍ଷାଗାର ଆଦି ସୁବିଧା ବୁଲି ଦେଖିବା ସହିତ ସେଠାକାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥିଲେ ।
ପେଟ୍ରୋରସାୟନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ନବୋନ୍ମେଷ, ଗବେଷଣା ଏବଂ ଶିଳ୍ପ ଅନୁକୂଳ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବାରେ ସିପେଟର ଭୂମିକାକୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ନଡ୍ଡା କହିଥିଲେ, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ସିପେଟକୁ ଭବିଷ୍ୟ ଉନ୍ମୁଖୀ ହେବାକୁ ପଡ଼ିବ ଏବଂ ଆଗାମୀ ଆହ୍ୱାନଗୁଡ଼ିକର ସାମ୍ନା କରିବା ଓ ସେଗୁଡ଼ିକର ସମାଧାନ କରିବା ଲାଗି ପ୍ରସ୍ତୁତି କରିବାକୁ ହେବ । ଆବଶ୍ୟକତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ବିକଶିତ କରିବା ଲାଗି ଶିକ୍ଷା ଓ ଶିଳ୍ପ ସହିତ ସିପେଟ୍ ସମ୍ପର୍କ ସ୍ଥାପନ କରିବା ଉଚିତ୍ ବୋଲି ସେ କହିଥିଲେ । ଶିଳ୍ପରୁ ନିୟମିତ ମତାମତ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବାକୁ ପଡିବ ଏବଂ ଭବିଷ୍ୟତର ଆହ୍ୱାନ ପାଇଁ ଅନୁଷ୍ଠାନକୁ ପ୍ରସ୍ତୁତ କରିବାକୁ ହେବ । ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପ୍ରମୁଖ ଆବଶ୍ୟକତା ହେଉଛି, ଭବିଷ୍ୟତରେ ଦରକାର ହେଉଥିବା ଗୁଣାତ୍ମକ ମାନର ପରିକଳ୍ପନା କରିବା ଏବଂ ନିରନ୍ତର ଉନ୍ନତିକରଣ ବ୍ୟବସ୍ଥା ଅନୁସରଣ କରିବା । ଅଭିନବ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ବ୍ୟତୀତ, ଗବେଷଣା କାର୍ଯ୍ୟକଳାପଗୁଡ଼ିକ ଜରିଆରେ ବିଭିନ୍ନ ସମୟରେ ଉପୁଜିଥିବା ସମସ୍ୟାର ତ୍ୱରିତ ସମାଧାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ । ପରିବର୍ତ୍ତିତ ପରିବେଶ ଆଧାରରେ ପାଠ୍ୟକ୍ରମକୁ ନବୀକରଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।
ସିପେଟ୍ ଦ୍ୱାରା କରାଯାଉଥିବା କାର୍ଯ୍ୟ ବିଷୟରେ ଜ୍ଞାନ ବ୍ୟାପକ ଭାବେ ପ୍ରସାରିତ ହେବା ଆବଶ୍ୟକ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସିପେଟ୍ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ରାଜ୍ୟ ସରକାର ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ଶିଳ୍ପର ବିକାଶ ଉପରେ ଧ୍ୟାନ ଦେଉଛନ୍ତି । ଓଡ଼ିଶାରେ ବିକଶିତ ହେଉଥିବା ରାସାୟନିକ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲାଗି ସିପେଟ୍ ଭବିଷ୍ୟତ ଲାଗି ପ୍ରସ୍ତୁତ କାର୍ଯ୍ୟବଳକୁ ଦକ୍ଷ କରିବା ଦିଗରେ ସକ୍ରିୟ ଭାବେ ଯୋଗଦାନ କରିବା ଉଚିତ ।