ଭେଜାଲ କ୍ଷୀର ବିକି ଓମ୍ଫେଡ୍ ମାଲାମାଲ, ଗୋପାଳକ କାଙ୍ଗାଳ
ଓମ୍ଫେଡ୍ ପକ୍ଷରୁ ବ୍ୟବହୃତ କ୍ଷୀରମାପକ ଯନ୍ତ୍ରଗୁଡ଼ିକ….
ଭୁବନେଶ୍ୱର: ନାମକୁ ମାତ୍ର ଧଳାପାଣି । କେବଳ ଚା’ କରି ପିଇପାରିବ ବଜାରରେ ମିଳୁଥିବା ପ୍ୟାକେଟ୍ କ୍ଷୀର । ପ୍ୟାକେଟ୍ କ୍ଷୀରକୁ ଗରମ କରି ରୋଗୀ ସେଥିରେ ପାଉଁରୁଟି ବୁଡ଼ାଇ ଖାଇପାରିବ । ଶରୀରକୁ ସୁସ୍ଥ ସବଳ କରିବା ଭଳି କୌଣସି ଉପାଦାନ ସେଥିରେ ନାହିଁ । ଗାଈ ଦେଉଥିବା କ୍ଷୀରକୁ ସିଝାଇ ତାକୁ ଭାତରେ ଗୋଳାଇ ଖାଇପାରିବ; ମାତ୍ର ଓମ୍ଫେଡ୍ କ୍ଷୀରକୁ ସିଝାଇ ତାକୁ ଭାତରେ ଗୋଳାଇ ପାଟିକୁ ନେବାକୁ ଇଛା ହେବନି ।
ଓମ୍ଫେଡ୍ ଯୁଗରେ ମଧ୍ୟ ଅଧିକାଂଶ ଲୋକ ଗୋପାଳକଙ୍କ ନିକଟରୁ କ୍ଷୀର ନେବାକୁ ପସନ୍ଦ କରୁଛନ୍ତି । ଏପରିକି ଓମ୍ଫେଡ୍ କମ୍ପାନୀର କୌଣସି କର୍ମଚାରୀ ବଜାରରେ ମିଳୁଥିବା ପ୍ୟାକେଟ୍ କ୍ଷୀରକୁ ସିଝାଇ ତାକୁ ଭାତରେ ଗୋଳାଇ ଖାଇବାକୁ ଅନିଚ୍ଛୁକ । ତା’ର କାରଣ କ’ଣ? ଓମ୍ଫେଡ୍ କମ୍ପାନୀ ପକ୍ଷରୁ ଗୋପାଳକଙ୍କ ନିକଟରୁ ସଂଗୃହୀତ କ୍ଷୀରରୁ ଶୀତଳୀକରଣ ଜରିଆରେ କ୍ରିମ୍ କାଢ଼ି ନିଆଯାଏ । ରହିଯାଏ ଖାଲି ଧଳାପାଣି; ସେଥିରେ କ୍ଷୀରଗୁଣ୍ଡ ଗୋଳାଇବା ପରେ ବିବିଧ ମାନର ପ୍ୟାକେଟ୍ କରି ବଜାରକୁ ପଠାଇ ଦିଆଯାଏ ।
ଓମ୍ଫେଡ୍ କମ୍ପାନୀ ପକ୍ଷରୁ ସାଧାରଣ ଲୋକଙ୍କୁ ଜଣାଇ ଦିଆଯାଉଛି ଯେ ଓମ୍ଫେଡ୍ ଦୁଗ୍ଧ ବିକ୍ରୟରୁ ଲବ୍ଧ ଅର୍ଥର ୯୦ ଭାଗ ଦୁଗ୍ଧ କ୍ରୟ ବାବଦକୁ ଯାଇଥାଏ ଯାହା ଡାହା ମିଛ । ଓମ୍ଫେଡ୍ କମ୍ପାନୀ ସହିତ ଜଡ଼ିତ ବ୍ୟକ୍ତି ଓ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଭତା ସାଙ୍ଗକୁ ବ୍ୟବହୃତ ଗାଡ଼ିର ପରିଚାଳନା ଓ ତେଲ ବାବଦକୁ ଲବ୍ଧ ଅର୍ଥର ପ୍ରାୟ ୬୦ ଭାଗ ଚାଲିଯାଉଛି । ବଳି ଯାଉଥିବା ୪୦ ଭାଗରୁ ଗୋପାଳକଙ୍କ ପକେଟ୍କୁ ମାତ୍ର ୨୦ ଭାଗ ଯାଏ ।
ଅବଶିଷ୍ଟ ୨୦ ଭାଗରୁ କ୍ଷୀରଗୁଣ୍ଡ କିଣା ସମେତ ବିଜୁଳି ବିଲ୍, ପାଣି ବିଲ୍ ଦିଆଯାଏ । ଓମ୍ଫେଡ୍ ପକ୍ଷରୁ ବ୍ୟବହୃତ କ୍ଷୀରମାପକ ଯନ୍ତ୍ରଗୁଡ଼ିକ ଗୋପାଳକଙ୍କୁ ଠକିବା ପାଇଁ ସବୁ ଦିଗରୁ ସକ୍ଷମ । ଏପ୍ରିଲ ପହିଲାରୁ ବର୍ଦ୍ଧିତ ମୂଲ୍ୟରେ ଓମ୍ଫେଡ୍ କ୍ଷୀର ମିଳିବ । ୫୦୦ ମିଲି ଟୋନ୍ଡ କ୍ଷୀର ମୂଲ୍ୟ ୨୩ ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ପ୍ରିମିୟମ କ୍ଷୀର ଦାମ୍ ୨୬ ଟଙ୍କା, ଗୋଲ୍ଡ କ୍ଷୀର ୨୬ ଟଙ୍କା, ଚା’ ସ୍ପେସିଆଲ କ୍ଷୀର ମୂଲ୍ୟ ୨୫ ଟଙ୍କାକୁ ବୃଦ୍ଧି ପାଇଛି ।