ପୁରୀ : ନାବାଳିକାଙ୍କୁ ଅଟକାଇ ତିନିଜଣ ଯୁବକ ଅସଦାଚରଣ କରିବା ସହିତ ଜବରଦସ୍ତ ମୋବାଇଲ୍ରେ ଭିଡିଓ ସୁଟିଂ କରିଥିଲେ। ରାସ୍ତାରେ ଯାଉଥିବା ନାବାଳିକାଙ୍କୁ ତାଙ୍କ ଭାଇ ସମ୍ମୁଖରେ ଅଟକାଇ ଏଭଳି ଅସଦାଚରଣ କରିବା ସହିତ ଜବରଦସ୍ତ ମୋବାଇଲ୍ରେ ଭିଡିଓ ସୁଟିଂ କରିଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ଏ ନେଇ ପୁରୀ ଜିଲ୍ଲା କାକଟପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଜଣଙ୍କୁ ଅଟକ ରଖିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ଆଜି ଜଣେ ୧୫ ବର୍ଷର ନାବାଳକ ସହିତ ତା’ର ୧୩ ବର୍ଷିୟା ନାବାଳିକା ଭଉଣୀ ନୀଳକଣ୍ଠପୁର ଗ୍ରାମରେ ଥିବା ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ ସେମାନଙ୍କୁ କଣ୍ଟାପଡ଼ା ବରୋଦା ବ୍ୟାଙ୍କ ନିକଟରେ କଣ୍ଟାପଡ଼ା ବସା ଉପର ବସ୍ତିର ତିନିଜଣ ଯୁବକ ଅଟକାଇଥିଲେ। ତାଙ୍କୁ ଅସୌଜନ୍ୟ ବ୍ୟବହାର ସହ ଡ୍ରେସ୍ ଖୋଲି ନଗ୍ନ ଫଟୋ ଉଠାଇବା ସହ ଭିଡ଼ିଓ ସୁଟିଂ କରିଥିଲେ। ଏ ସମ୍ପର୍କରେ ଯଦି କାହାରିକୁ କୁହ ତେବେ ମାରିଦିଆଯିବ ବୋଲି ଧମକ ଦେଇଥିଲେ। ଘରକୁ ଫେରି ଉଭୟ ଭାଇଭଉଣୀ ସମସ୍ତ ଘଟଣା କହିବାରୁ ତାଙ୍କ ମା’ ଏ ନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।