କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ହେଉଛି ଖଣିର ରାଜଧାନୀ । ଏହି ଖଣି ରାଜଧାନୀରୁ ରଜ୍ୟ ରାଜକୋଷକୁ ଯାଉଛି ହଜାର ହଜାର କୋଟି ଟଙ୍କାର ରାଜସ୍ୱ କିନ୍ତୁ ବାସ୍ତବ ଚିତ୍ର ହେଉଛି ଯଥା ପୂର୍ବଙ୍ଗ ତଥା ପରଙ୍ଗ। ଦିନକୁ ଦିନ ନୂତନ ଖଣି ଖୋଳିବାକୁ କେଉଁଠି ଜନ ଶୁଣାଣୀ ହେଉଛି ତ କେଉଁଠି ସ୍ଵତନ୍ତ୍ର ଗ୍ରାମ ସଭା ହେଉଛି। ଠିକ ସେହିଭଳି ଆଜି କୋଇଡା ତହସିଲ ଅନ୍ତର୍ଗତ କଳମଙ୍ଗ ଗ୍ରାମସ୍ଥିତ ଫୁଟବଲ ଖେଳ ପଡ଼ିଆରେ ଜେ.ଏସ.ଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ଼ କମ୍ପାନୀ ପକ୍ଷରୁ ହେଉଥିବା ସ୍ଵତନ୍ତ୍ର ଗ୍ରାମସଭାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ ଜେ.ଏସ.ଡବ୍ଲୁ କମ୍ପାନୀ ହେଉଛି ଗୋଟିଏ ଖରାପ କମ୍ପାନୀ । ଜେ.ଏସ.ଡବ୍ଲୁ କମ୍ପାନୀ ଅଞ୍ଚଳବାସୀଙ୍କୁ ଶୋଷଣ କରୁଛି। ଯେଉଁ ଜାଗାରେ ଜେ.ଏସ.ଡବ୍ଲୁ କମ୍ପାନୀ ଅଛି ସେଠାରେ ବି ସବୁ ଲୋକ ମାନଙ୍କୁ ସେ ହଇରାଣ କରୁଛି । ଜେ.ଏସ.ଡବ୍ଲୁ କମ୍ପାନୀ ନିର୍ବାଚନ ହେଲାଭଳି ରାତିଅଧିଆ କିଛି ଲୋକଙ୍କୁ ହଜାର ହଜାର ଟଙ୍କା ବାଣ୍ଟି ସ୍ଵତନ୍ତ୍ର ଗ୍ରାମସଭା କରିବାକୁ ପ୍ରୟାସ କରିଛି । ସ୍ଥାନୀୟ ଗ୍ରାମବାସୀଙ୍କୁ ଚାକିରି ଦେଉନାହିଁ ।
ଗ୍ରାମସଭା ଗାଁରେ ନ କରି ଲୁଚିକି ଚୋର ଭଳି ଏ ଜଙ୍ଗଲ ଭିତରେ ଗ୍ରାମସଭା କରୁଛି । ଆମର ପୂର୍ବ ପୁରୁଷ ମାନେ ରଖିଯାଇଥିବା ଚାଷଜମି କୁ ଆମେ କୌଣସି ପରିସ୍ଥିତିରେ ବି ଜେ.ଏସ.ଡବ୍ଲୁ କମ୍ପାନୀକୁ ଦେବୁନାହିଁ। ଏଥି ପାଇଁ ଦରକାର ପଡିଲେ ଆମେ ଲଢେଇ କରିବୁ ପଛେ ଆମ ଚାଷ ଜମିକୁ ଅମେ ଜେ.ଏସ.ଡବ୍ଲୁ କମ୍ପାନୀକୁ ଦେବୁନାହିଁ ଓ ଏହି ସ୍ଵତନ୍ତ୍ର ଗ୍ରାମସଭା କୁ ଆମେ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛୁ । ଏହି ସ୍ଵତନ୍ତ୍ର ଗ୍ରାମସଭାରେ ସର୍ବମୋଟ ୭୬ ଜଣ ମତାମତ ଦେଇଥିବାବେଳେ ୨୧ଜଣ ସମର୍ଥନ କରିଛନ୍ତି ଓ ୫୫ ଜଣ ବିରୋଧ କରିଛନ୍ତି ।