ଓଡ଼ିଶାର ୧୩ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟ ଚୋରି କରାଯାଇଛି । ଆମ ଟିମ୍ କୌଣସି ଦଳ ପ୍ରତି ସହାନୁଭୂତି ଦେଖାଇ ନାହିଁ । ଆମେ ଯୋଉ ଲୋକସଭା ଓ ବିଧାନସଭାକୁ ସର୍ବେକ୍ଷଣରେ ସାମିଲ କରିଛୁ । ସେହିସବୁ ଆସନ ଗୁଡ଼ିକରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି ।
ବିଜେପି ସାଂସଦ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାଏକ, ନବଚରଣ ମାଝି, ଅଭିମନ୍ୟୁ ସେଠୀ, ସଂଗୀତା କୁମାରୀ ସିଂଦେଓ, ସୁକାନ୍ତ କୁମାର ପାଣିଗ୍ରାହୀ, ଭତୃହରି ମହତାବ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ରୁଦ୍ର ନାରାୟଣ ପାଣି, ଅପରାଜିତା ଷଡ଼ଙ୍ଗୀ ଓ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଭୋଟ ଜାଲିଆତି ବଳରେ ଜିତିଛନ୍ତି ।
ବରଗଡ଼, ଝାରସୁଗୁଡ଼ା, ଜଳେଶ୍ୱର, ସୋରୋ, ଭଣ୍ଡାରିପୋଖରୀ, ବାସୁଦେବପୁର, ଚାନ୍ଦବାଲି, ପାଟଣାଗଡ଼, ଜୁନାଗଡ଼, ବାଲିଗୁଡ଼ା, ଭୁବନେଶ୍ୱର ଏକାମ୍ର, ମଧ୍ୟ ଭୁବନେଶ୍ୱର, ଉତର ଭୁବନେଶ୍ୱର, ନୟାଗଡ଼, ପଟ୍ଟାଙ୍ଗୀ, ଆଠଗଡ଼, କଟକ ସଦର, ବୌଦ୍ଧ, ନିଆଳି, କଂଟାମାଳ, ଘୁମୁସର ଉଦୟଗିରି, ନର୍ଲା, ଲାଂଜିଗଡ଼, ଝରିଗ୍ରାମ, ଖରିୟାର, ପାଲଲହଡ଼ା, କାମାକ୍ଷାନଗର, ସୁକିନ୍ଦା, କୋରେଇ, ଯାଜପୁର, ବଡ଼ଚଣା, ଧାମନଗର, ଭୋଗରାଇ, ଜଟଣୀ, ଖୋର୍ଦ୍ଧା, ବାଲିପାଟଣା, ପୁରୀ, ବେଗୁନିଆ, ବାଙ୍କୀ, ଚମ୍ପୁଆ ବିଧାନସଭା ଆସନରେ ବଡ଼ ଧରଣର ଭୋଟ ଜାଲିଆତି କରାଯାଇଛି ।
ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ୪୫ ଦିନ ଭିତରେ ନିର୍ବାଚନ ସଂକ୍ରାନ୍ତ ମାମଲା ରୁଜୁ କରାଯିବାର ବିଧି ଥିବାରୁ ଓଡ଼ିଶାର ଛଅଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନର ପରିଣାମକୁ ଚାଲେଂଜ କରାଯାଇଛି । ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କ ବିଜୟକୁ ଅଦାଲତରେ ଚାଲେଂଜ କରାଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଛ’ ଜଣ ବିଧାୟକଙ୍କ ବିଜୟକୁ ଚାଲେଂଜ କରାଯାଇଛି । କନକ ବର୍ଦ୍ଧନ ସିଂଦେଓ ମାତ୍ର ୧୩୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବାରୁ ବିଜେଡି ନେତା ତଥା ପରାଜିତ ପ୍ରାର୍ଥୀ ସରୋଜ କୁମାର ମେହେର ତାକୁ ଚାଲେଂଜ କରିଛନ୍ତି । କନକ ବର୍ଦ୍ଧନ ସିଂଦେଓ ୯୩,୮୨୩ ଖଣ୍ଡ ଭୋଟ ପାଇଥିଲା ବେଳେ ସରୋଜ ମେହେର ୯୨, ୪୬୬ ଖଣ୍ଡ ଭୋଟ ପାଇଥିଲେ ।
ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ବିଜୟକୁ ଚାଲେଂଜ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଅନନ୍ତ ମାତ୍ର ୩୭ ଖଣ୍ଡ ଭୋଟ ବ୍ୟବଧାନରେ ଜଗନ୍ନାଥଙ୍କୁ ପରାଜିତ କରିଥିଲେ । ଭୁବନେଶ୍ୱର ଏକାମ୍ରର ବିଜୟୀ ପ୍ରାର୍ଥୀ ବାବୁ ସିଂଙ୍କୁ ଅଦାଲତକୁ ଟାଣିଛନ୍ତି ପରାଜିତ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ଅଶୋକ ମାତ୍ର ୭୩୧ ଖଣ୍ଡ ଭୋଟ ବ୍ୟବଧାନରେ ବାବୁଙ୍କ ନିକଟରୁ ହାରିଛନ୍ତି । ବାସୁଦେବପୁର ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ଅଶୋକ କୁମାର ଦାସଙ୍କ ବିଜୟକୁ ଚାଲେଂଜ କରିଛନ୍ତି । ବିଷ୍ଣୁବ୍ରତ ରାଉତରାୟ ୭୭ ହଜାର ୨୭୨ ଖଣ୍ଡ ଭୋଟ ପାଇଥିଲା ବେଳେ ଅଶୋକ ଦାସ ୭୭ ହଜାର ୮୪୩ ଖଣ୍ଡ ଭୋଟ ପାଇଥିଲେ ।
ସେହିପରି କଂଟାବାଂଜି ଓ ବ୍ରହ୍ମପୁର ବିଧାନସଭା ମାମଲା ଅଦାଲତକୁ ଯାଇଥିଲା, ମାତ୍ର ତାହା ବିଚାରଯୋଗ୍ୟ ହୋଇପାରିଲାନି । କଂଟାବାଂଜିରୁ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ନିକଟରୁ ପ୍ରାୟ ୧୬, ୩୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ନେତା ନବୀନ ପଟ୍ଟନାୟକ ହାରି ଯାଇଥିଲେ । ବ୍ରହ୍ମପୁର ଆସନରୁ ବିଜେପି ବିଧାୟକ ଅନିଲ କୁମାରଙ୍କ ନିକଟରୁ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରାୟ ୧୮, ୭୦୯ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ।