ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମୋଦି ସରକାରରେ ଓଡିଶାର ବିକାଶକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଟଙ୍କା ଦିଏ ଏବଂ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରନ୍ତି । ରାଜ୍ୟକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଆସୁଛି । ଏପରିକି ଦିଆଯାଉଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରିନପାରିବାରୁ ତାହା ପୁଣି କେନ୍ଦ୍ରକୁ ଫେରିଯାଉଛି ।‘ହର୍ ଘର୍ ଜଲ୍’ ଯୋଜନାରେ ଓଡିଶା ରାଜ୍ୟକୁ ୩୨୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୧ଲକ୍ଷ ୪୨ କୋଟି ଟଙ୍କା ରାଜ୍ୟ ସରାକାର ପାଇଛନ୍ତି । ବିଶେଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି । ରାଜ୍ୟ ସରକାର ୟୁସି ଦେବାରେ ବିଫଳ ହେଉଛନ୍ତି । ଅନ୍ୟ ପଟେ ନିଜ ନାଁ ରେ ବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବାରେ ରାଜ୍ୟ ସରକାର ବ୍ୟସ୍ତ । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଓ ଦୂରଦୃଷ୍ଟି ଅଭାବରୁ ଆଦିବାସୀ କଲ୍ୟାଣ ପାଇଁ ଏ ସବୁ ଅର୍ଥ ଖର୍ଚ୍ଚ ହେଇପାରୁନାହିଁ । ଏହା ଦ୍ୱାରା ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶରେ ବାଧାପ୍ରାପ୍ତ ହେଉଛି ବୋଲି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ସ୍ଥାନ ପାଇ ଓଡିଶା ଗସ୍ତରେ ଆସିଥିବା ମୟୁରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।
ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା କାରଣରୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଟ୍ରିବୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି । ଖୁବ୍ ଶୀଘ୍ର ଓଡିଶାରେ ଜଳବିବାଦର ସମାଧାନ ହେବ ବୋଲି ଶ୍ରୀ ଟୁଡୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଓଡିଶାରେ ସଂଘୀୟ ବ୍ୟବସ୍ଥାରେ ବହୁ ବ୍ୟତୀକ୍ରମ ହେଉଛି । ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆଦିବାସୀ କଲ୍ୟାଣକାରୀ ଯୋଜନାର ସଠିକ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଯାଉଛି । ଏହା ଅତ୍ୟନ୍ତ ଜନବିରୋଧୀ । ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭାଗ ତରଫରୁ ଅନେକ ବ୍ୟବସ୍ଥା ରହିଛି । ମୋଦି ସରକାର ରାଜ୍ୟବାସୀଙ୍କ ପାଇଁ ଅର୍ଥ ପ୍ରଚୁର ପରିମାଣର ଅର୍ଥ ପଠାଉଛନ୍ତି ଏବଂ ଏହାକୁ ଓଡିଶାବାସିଙ୍କ ସ୍ୱାର୍ଥରେ କାର୍ଯ୍ୟକାରୀ କରିବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ରାଜ୍ୟ ସରକାରଙ୍କ ଆନ୍ତରିକତା ଏବଂ ଦୁରଦୃଷ୍ଟି ଅଭାବ କାରଣରୁ ସରଳ ଓ ଗରୀବ ରାଜ୍ୟବାସୀ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏହି ଅବସରରେ କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଦ୍ୟସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଛଅ ଦିନିଆ ଓଡିଶା ଗସ୍ତରେ ଆସି ଭୂବନେଶ୍ବରଠାରେ ପହଂଚିବା ପରେ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅସୁସ୍ଥତା କାରଣରୁ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇପାରିନଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ମନ୍ତ୍ରୀପଦ ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ଶ୍ରୀ ଟୁଡୁ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସିଧାସଳଖ ପୁରୀ ଗସ୍ତ କରିଥିଲେ । ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ପିପିଲି, ସାକ୍ଷିଗୋପାଳ ଆଦି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।
ପୁରୀରୁ ଭୂବନେଶ୍ୱର ପ୍ରତ୍ୟାବର୍ତନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଉପଢୈାକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ ଓ ଐର ଖାରବେଳ ସ୍ୱାଇଁ , ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ସର୍ବପ୍ରଥମେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପରେ ପାର୍ଟୀର ବିଭିନ୍ନ ମୋର୍ଚ୍ଚା ଓ ସେଲ୍, ବିଭିନ୍ନ ଜିଲ୍ଲା ସଭାପତି, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।
‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ’କୁ ପାଥେୟ କରି ପ୍ରଧାନ ସେବକ ଭାବେ କାର୍ଯ୍ୟରତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ରେ ସାମିଲ ହୋଇଥିବାରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ଆଗାମୀ ଦିନରେ ଦେଶ ତଥା ରାଜ୍ୟର ବିକାମୂଳକ କାର୍ଯ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ଟୁଡୁ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଆସନ୍ତା କାଲି ଭୂବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।